କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମରେ ବଡ ବୃଦ୍ଧି ହୋଇଛି । ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୮୨ ହଜାର ୯୭୦ ମାମଲା ଚିହ୍ନଟ ହୋଇଛି । ୪୪୧ ଜଣ ପ୍ରାଣ ହରାଇଛନ୍ତି । ପଜିଟିଭିଟି ରେଟ୍ ରହିଛି ୧୫.୧୩ ପ୍ରତିଶତ । ସବୁଠାରୁ ବଡ କଥା ହେଲା, ଗତକାଲିଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪୪,୮୮୯ ଅଧିକ ରହିଛି ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୭୯,୦୧,୨୪୧ରେ ପହଞ୍ଚିଛି ।

Advertisment

ଗତ ୨୪ ଘଣ୍ଟାରେ ହୋଇଥିବା ୪୪୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୭,୨୦୨ରେ ପହଞ୍ଚିଛି । ସେହିପରି କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୮୮,୧୫୭ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୫୫,୮୩,୦୩୯ । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୮,୩୧,୦୦୦ । ସେହିପରି, ଦେଶରେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୮,୯୬୧ରେ ପହଞ୍ଚିଛି । ଗତକାଲି ଠାରୁ ଓମିକ୍ରନ୍‌ ସଂକ୍ରମଣ ୦.୭୯% ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୫୮,୮୮,୪୭,୫୫୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୦,୭୪,୨୧,୬୫୦ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୧୮,୬୯,୬୪୨ଟି ନମୁନା। ଦୈନିକ ପଜିଟିଭିଟି ହାର ରହିଛି ୧୫.୧୩% । ମହାରାଷ୍ଟ୍ର, ଦିଲ୍ଲୀ , କେରଳ, କର୍ଣ୍ଣାଟକ ଭଳି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । କରୋନା ସଂକ୍ରମଣ ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦେଶରେ ବଢିଚାଲିଛି ।