କନକ ବ୍ୟୁରୋ: ସୈନିକଙ୍କୁ ମିଳିବ କି ସଜା । ନାଗାଲାଣ୍ଡ ସରକାର ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ନାଗାଲାଣ୍ଡ ସରକାର ତିନି ବର୍ଷ ତଳେ ରାଜ୍ୟର ମୋନ୍ ଅଞ୍ଚଳରେ ୧୩ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ୩୦ ଜଣ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏବେ କୋର୍ଟ ଏହି ମାମଲାରେ ନାଗାଲାଣ୍ଡ ସରକାର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟଠାରୁ ଜବାବ ମାଗିଛନ୍ତି। ଏହି ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର କେନ୍ଦ୍ର ଓ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରିଛନ୍ତି। ଦେଢ଼ ବର୍ଷ ତଳେ କେନ୍ଦ୍ର ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ଏବେ ନାଗାଲାଣ୍ଡ ସରକାରଙ୍କ ତରଫରୁ ଚ୍ୟାଲେଞ୍ଜ କରାଯାଇଛି। ଅଭିଯୋଗ ହୋଇଛି ଯେ ୨୦୨୧ ଡିସେମ୍ବର ୪ ତାରିଖରେ ଏହି ସେନାମାନେ ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବାକୁ ଯାଇଥିଲେ । କିନ୍ତୁ ଏହି ଅପରେସନରେ ୧୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ନାଗାଲାଣ୍ଡ ପୁଲିସ ମଧ୍ୟ ଏତଲା ରୁଜୁ କରିଥିଲା। ସମ୍ବିଧାନର ଧାରା ୩୨ ଅନୁଯାୟୀ ରାଜ୍ୟ ସରକାର ଏହି ରିଟ୍ ପିଟିସନ୍ ଦାଖଲ କରିଛନ୍ତି। ଏହି ଧାରା ଅନୁଯାୟୀ ମୌଳିକ ଅଧିକାର ଉଲ୍ଲଂଘନ ଅଭିଯୋଗ କରି ପିଟିସନ୍ ଦାଖଲ କରାଯାଇପାରିବ। ରାଜ୍ୟ ସରକାର ତାଙ୍କ ଆବେଦନରେ ଦାବି କରିଛନ୍ତି ଯେ ଜଣେ ମେଜରଙ୍କ ସମେତ ସେନା ଯବାନଙ୍କ ବିରୋଧରେ ତାଙ୍କ ନିକଟରେ ଦୃଢ଼ ପ୍ରମାଣ ଅଛି । ତଥାପି କେନ୍ଦ୍ର ସରକାର ମନଇଚ୍ଛା ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଦେଇଛନ୍ତି।