କନକ ବ୍ୟୁରୋ: ମାନବିକତାକୁ ଲଜ୍ଜିତ କରୁଥିବା, ତାଲିବାନୀ ଶାସନର ଭୟଙ୍କର ଦୃଶ୍ୟ ଭଳି ଏ ଘଟଣା ଘଟିଛି ବ୍ୟସ୍ତବହୁଳ କଟକ ସହରର ରାଜରାସ୍ତାରେ । ଶହ ଶହ ଲୋକଙ୍କ ଉପସ୍ଥିତିରେ ଘଟିଛି ଏହି ବର୍ବରକାଣ୍ଡ । ଯୁବକଙ୍କ ଦୁଇ ହାତ ବନ୍ଧା ହୋଇଛି, ସେହି ରଶିକୁ ଗାଡି ପଛରେ ବାନ୍ଧି ଯୁବକଙ୍କୁ ଦୌଡାଉଛନ୍ତି ଦୁଇ ଦୁର୍ବୃତ । ଆଉ ଏହି ଘଟଣା ଆମ ସମାଜର ସମ୍ବେଦନହୀନତାର ନଗ୍ନତାକୁ ମଧ୍ୟ ସାମ୍ନାକୁ ଆଣିଛି । ରାସ୍ତାରେ ଯିବା ଆସିବା ଲୋକେ ପ୍ରତିବାଦ କର୍ିବା ବଦଳରେ କ୍ୟାମେରାରେ ଭିଡିଓ କଏଦ କରୁଛନ୍ତି ।

Advertisment

କଟକର ବର୍ବରକାଣ୍ଡ ଘଟଣାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି । ଏଥିସହ ଘଟଣାର ତଦନ୍ତ ଜଣେ ଉଚ୍ଚ ଅଧିକାରୀ କରୁଥିବା କଟକ ଡିସିପି କହିଛନ୍ତି ।

ସୂଚନା ମିଳିଛି ଧାର ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଦୁଇ ଦୁର୍ବୃତ । କଟକ ସତୀଚଉରା ନିକଟରେ ପୀଡିତ ଯୁବକ ବସିଥିଲେ, ଦୁଇ ଯୁବକ ସେଠାରେ ପହଂଚି ଧାର ଟଙ୍କା ମାଗିଥିଲେ । ଏହାକୁ ନେଇ ବଚସା ହେବା ପରେ ପୀଡିତ ଯୁବକଙ୍କ ଦୁଇ ହାତକୁ ବାନ୍ଧି ସ୍କୁଟି ପଛରେ ସୁତାହାଟ ଛକ ଯାଏଁ ଦୌଡାଇଥିଲେ । ଏହି ଘଟଣାକୁ ପ୍ରତିରୋଧ କରିବାରୁ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ଦୁର୍ବୃତ ।

ସହର ଭିତରେ ମିସନ ରୋଡ଼ ଅଂଚଳରେ ଏଭଳି ଅମାନୁଷିକ କାଣ୍ଡ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି । ମାଳ ମାଳ ସୁରକ୍ଷାକର୍ମୀ କଟକ ସହରର ସୁରକ୍ଷା ଦାୟିତ୍ୱରେ ଥାଇ ମଧ୍ୟ କିପରି ଦୁଇ ଦୁର୍ବୃତ ଏଭଳି କାରନାମା କରିବାକୁ ସାହାସ କଲେ । ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।