ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମେଟାକୁ ଚିଠି ଲେଖି ଜବାବ ମାଗିଲା ଦିଲ୍ଳୀ ପୁଲିସ

693

କନକ ବ୍ୟୁରୋ: ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମେଟାକୁ ଚିଠି ଲେଖି ଜବାବ ମାଗିଛି ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ । ସେପଟେ ଦିଲ୍ଲୀ ମହିଳା କମିଶନ ମାମଲାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

  • ଡିପଫେକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ
  • ‘ମେଟା’କୁ ଦିଲ୍ଲୀ ପୁଲିସର ଚିଠି

ଯେବେଠୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫେକ ଭିଡିଓ ସାମ୍ନାକୁ ଆସିଛି ସେବେଠୁ ଏଆଇ ଅବା କୁତ୍ରିମ ବୁଦ୍ଧିମତାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଏହା ଭିତରେ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

  • ମେଟାକୁ ଦିଲ୍ଲୀ ପୁଲିସର ଚିଠି
  • ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ୟୁଆରଏଲ ଆଡ୍ରେସ୍ ମଗାଯାଇଛି
  • ଯେଉଁଥିରେ ରଶ୍ମିକାଙ୍କ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା
  • ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ ମାମଲାର ଯାଞ୍ଚ କରୁଛି
  • ମାମଲରେ ଏକ ଏଫଆଇଆର ରୁଜ ହୋଇଛି
  • ଫେକ୍ ଭିଡିଓ ସେୟାର ମାମଲାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ସେପଟେ ଦିଲ୍ଲୀ ମହିଳା କମିଶନ ମଧ୍ୟ ମାମଲାରେ ହସ୍ତକ୍ଷେପ କରିଛି । ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗୋଟେପଟେ ରଶ୍ମିକାଙ୍କ ଫେକ୍ ଭିଡିଓକୁ ନେଇ ଝଡ଼ ଥମିନଥିବାବେଳେ ଅନ୍ୟପଟେ ସାରା ତେନ୍ଦୁଲକର ଓ କ୍ରିକେଟର ଶୁଭମନ ଗିଲଙ୍କ ଏକ ଫେକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ସାରା ଓ ଅର୍ଜୁନ ତେନ୍ଦୁଲକରଙ୍କ ଫଟୋକୁ ଏଡିଟ କରାଯାଇଛି । ତେବେ ଡିପଫେକ୍ ଭିଡିଓରୁ ବାଦ ପଡିନାହାଁନ୍ତି ବଲିଉଡର ଆଗଧାଡିର ନାୟିକା କ୍ୟାଟ୍ରିନା କେଫ୍ । କ୍ରାଟିନା କୈଫଙ୍କ ଟାଇଗର-୩ର ଏକ ଫଟୋକୁ ଡିପଫେକ୍ ଟେକ୍ନୋଲୋଜି ଜରିଆରେ ବିକୃତ କରାଯାଇଥିବା ଦେଖିବାକୁ ମିଳିଛି ।

ତେବେ ରଶ୍ମିକାଙ୍କ ଏହି ଡିପଫେକ ଭିଡିଓ ଭାଇରାଲ ହେବା ପରେ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲିଉଡଠୁ ନେଇ ସାଧାରଣ ସୋସିଆଲ ମିଡିଆ ବ୍ୟବହାରକାରୀ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଟେକ୍ନୋଲୋଜିର ଅପବ୍ୟବହାର କେବଳ ତାଙ୍କ ପାଇଁ ସବୁ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଛି । ଏହା ଆମ ସମାଜକୁ ପ୍ରଭାବିତ କରିବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ରଶ୍ମିକାଙ୍କ ସମର୍ଥନରେ ହଜାର ହଜାର ସୋସିଆଲ ମିଡିଆ ବ୍ୟବହାରକାରୀ ବାହାରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି କେନ୍ଦ୍ର ବୈଦ୍ୟୁତିକ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।