କନକ ବ୍ୟୁରୋ : ଧାନ ବୁଣିଲେ ଭଲ ଗଛ ହେବ । ଏଥର ଭଲ ଅମଳ ହେବ। କିନ୍ତୁ ଏଠି ମୂଳରୁ ହିଁ ସମସ୍ୟା । ଯଦି ବିହନ ନକଲି ହୁଏ, ଅସଲି ଅମଳ ହେବ କେମିତି ? ଚାଷ କାମ ପୂର୍ବରୁ ବରଗଡରେ ନକଲି ବିହନ କାରବାର କରୁଥିବା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୨ ଜଣଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରାଯାଇଥିବା ବେଳେ ୪ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି । ଲାଇସେନ୍ସ ବାତିଲ ହେବା ପରେ ବି ବେପାରୀ ଖୋଲାଖୋଲି ବିହନ କାରବାର କରୁଥିବା ଅଭିଯୋଗ ହୋଇଛି ।

Advertisment

ଚାଷୀଙ୍କ ସହ ଖେଳୁଥିବା ବେପାରୀ ସାବଧାନ ହୋଇଯାଏ । ଦୁନିଆକୁ ଆହାର ଯୋଗାଉଥିବା ଅନ୍ନଦାତାଙ୍କ ସହ ଖେଳିଲେ ଛାଡିବ ନାହିଁ କୃଷି ବିଭାଗ । ବରଗଡ଼ରେ ନକଲି ବିହନ ବିକ୍ରି କରୁଥିବା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏହା ସୂଚାଇ ଦେଇଛି ଜିଲ୍ଲା ପ୍ରଶାସନ । ନକଲି ବିହନ ଦେଇ ଚାଷୀଙ୍କୁ ଠକିଥିବା ୪ଜଣ ଦୋକାନୀଙ୍କ ବିହନ ବିକ୍ରୟ ଲାଇସେନ୍ସ ବାତିଲ କରାଯାଇଛି । ୨ ଜଣଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରାଯାଇଛି । ସେମାନେ କୌଣସି ପ୍ରକାର ସାର କି ବିହନ ବିକ୍ରି କରିପାରିବେ ନାହିଁ ।

ଇଣ୍ଡିଆନ୍‌ ସିଡସ୍‌ କର୍ପୋରେସନ, ଉମାଶଙ୍କର ଶୁକ୍ଲା, ଇଣ୍ଡିଆନ୍ ସିଡସ୍ ସେଲ୍ସ ସେଣ୍ଟର, ବଂଶଲ ଟ୍ରେଡର୍ସ, ହରିଓଁ ଟ୍ରେଡର୍ସ, ମେହେର ପ୍ରେଷ୍ଟିସାଇଜ ବିରୋଧରେ କାର୍ଯାନୁଷ୍ଠାନ ହୋଇଛି । କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ  ବରଗଡ଼ ଗସ୍ତ ସମୟରେ ଅଭିଯୋଗ କରିଥିଲେ ଚାଷୀ । ତେବେ କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ପରେ ବି ଦୋକାନ ଖୋଲି ବେପାର ଚଳାଇଛନ୍ତି ବ୍ୟବସାୟୀ । ସମଗ୍ର ଜିଲ୍ଲାରେ ଶହଶହ ବ୍ୟବସାୟୀ ବିହନ ବେପାର କରୁଛନ୍ତି । ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ, ଆନ୍ଧ୍ରପ୍ରଦେଶରୁ ନକଲି ବିହନ ଆଣି ବରଗଡ଼ ଚାଷୀଙ୍କୁ ଠକୁଛନ୍ତି ।

ଭାତହାଣ୍ଡିରେ ନକଲି ବିହନ ବେପାର ବଢିବଢି ଚାଲିଛି । କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇ ଚଢ଼ାଉ ହେଲେ ନକଲି ବିହନ କାରବାର ପର୍ଦ୍ଦାଫାସ ହେବ ବୋଲି କୃଷକ ସଂଗଠନ ନେତା ମତ ରଖିଛନ୍ତି ।