କନକ ବ୍ୟୁରୋ : ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ ଆକ୍ସନ ମୋଡରେ ରାଜ୍ୟସଭା ଅଧ୍ୟକ୍ଷ । ଏହି କ୍ରମରେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ୬ ଜଣ ଟିଏମସି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି । କହିରଖୁ କି ପେଗାସସ ଗୁପ୍ତଚର ମାମଲାରେ ଟିଏମସି ସାଂସଦ ମାନେ ଅଧ୍ୟକ୍ଷଙ୍କ ପୋଡିୟମ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଆଜି (ବୁଧବାର) ସକାଳେ କୃଷି ଆଇନ ନେଇ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସକୁ ଅଧ୍ୟକ୍ଷ ସ୍ୱୀକାର କରି ଅନ୍ୟ ନୋଟିସଗୁଡିକୁ ଖାରଜ କରିଦେଇଥିଲେ । ଏହାକୁ ନେଇ ଟିଏମସି ଓ ଅନ୍ୟ ବିରୋଧୀ ସାଂସଦମାନେ ଅଧ୍ୟକ୍ଷଙ୍କ ପୋଡିୟମ ନିକଟରେ ହୋ ହାଲ୍ଲା କରିଥିଲେ । ସେମାନେ ପେଗାସସ ମାମଲାରେ ଆଲୋଚନା ପାଇଁ ଦାବି କରିଥିଲେ ।
TMC MPs in Rajya Sabha Dola Sen, Nadimul Haque, Arpita Ghosh, Mausam Noor, Shanta Chhetri and Abir Ranjan Biswas have been asked to withdraw from the proceedings of the House for today, for holding placards and disorderly behaviour: Rajya Sabha
— ANI (@ANI) August 4, 2021
ଏନେଇ ଅଧ୍ୟକ୍ଷ ସାଂସଦମାନଙ୍କୁ ସେମାନଙ୍କ ଟେବୁଲ ନିକଟକୁ ଫେରିଯିବାକୁ ଅନୁରୋଧ କରିବା ସହ ଏଭଳି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ହେଲେ ସାଂସଦମାନେ ନ ଶୁଣିବାରୁ ଅଧ୍ୟକ୍ଷ ନିୟମ ୨୫୫ ଆଧାରରେ ୬ ଜଣ ଟିଏମସି ସାଂସଦଙ୍କୁ ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି ।
କହିରଖୁ କି ଜୁଲାଇ ୧୯ ରୁ ଉଭୟ ଗୃହରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ହେଲେ ପେଗାସସ୍, ଚାଷୀ ଆନ୍ଦୋଳନ ଓ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଆଜି ଯାଏ ଗୋଟିଏ ଦିନ ବି ଠିକରେ ଚାଲି ପାରିନାହିଁ ଉଭୟ ଗୃହ । ଅନ୍ୟପଟେ ବିନା ବିଚାର ବିମର୍ଷରେ କେନ୍ଦ୍ର ସରକାର ବିଭିନ୍ନ ବିଧେୟକକୁ ପାରିତ କରିଛନ୍ତି ।