ଲାଞ୍ଚ ନେଉଥିବା ବେଳେ କ୍ୟାମେରାରେ ଧରା ପଡିଥିଲେ ବାବୁଙ୍କ ସହ କିରାଣି । ହେଲେ ବାବୁ ଖସିଗଲେ, କିରାଣି ଫସିଗଲେ ।

471

କନକ ବ୍ୟୁରୋ : ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟରେ ଲାଇସେନ୍ସ ପାଇଁ ଲାଂଚ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ଏହି ଘଟଣାରେ ଶ୍ରମ କାର୍ଯ୍ୟାଳୟର କିରାଣୀ ବଲ୍ଲଭ ନାଗଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ହେଲେ କ୍ୟାମେରା ସାମ୍ନାରେ ସେହି ସମାନ ଲାଂଚ ନେଇଥିଲେ ସୁଦ୍ଧା ଆଂଚଳିକ ଶ୍ରମ କମିଶନର ସରୋଜ କୁମାର ରଞ୍ଜିତୋଙ୍କ ବିରୋଧରେ ପ୍ରଶାସନ ଯେମିତି ପୁରା ଚୁପ୍ ।

ବାବୁ ଖସିଗଲେ, କିରାଣୀ ଫସିଲେ । ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଅଠା । ଲାଇସେନ୍ସ ପାଇଁ ଲାଂଚ ନେଇ କ୍ୟାମେରାରେ ଧରାପଡ଼ିଥିବା ବଲାଙ୍ଗିର ଶ୍ରମ କାର୍ଯ୍ୟାଳୟର କିରାଣୀ ବଲ୍ଲଭ ନାଗଙ୍କୁ ଶେଷରେ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଛି । ଏହି ପୁରା ଘଟଣାରେ ବିଭାଗୀୟ ତଦନ୍ତ ଚାଲିଥିବା ବେଳେ କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହେଲେ ସେଇ ସମାନ ଲାଂଚ୍ ଘଟଣାରେ ଆଂଚଳିକ ଶ୍ରମ କମିଶନର ସରୋଜ କୁମାର ରଞ୍ଜିତୋଙ୍କ ବିରୋଧରେ ପ୍ରଶାସନ ଯେମିତି ପୁରା ଚୁପ୍ ।

ଲେବର ପରମିଟ୍ ପାଇଁ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଟିଟିଲାଗଡ଼ର ରଂଜନ ଖୁଆସ୍ ଯାଇଥିବା ବେଳେ ଖୋଲାଖୋଲି ଲାଂଚ ମାଗିଥିଲେ ଶ୍ରମ ବିଭାଗର କିରାଣୀ ବଲ୍ଲଭ ନାଗ୍ । ଆଉ ବାଧ୍ୟ ହୋଇ ରଞ୍ଜନ ହଜାରେ ଟଙ୍କା ଲାଂଚ ମଧ୍ୟ ଦେଇଥିଲେ । ହେଲେ କ୍ୟାମେରାରେ କଏଦ ହୋଇଥିଲା ପୁରା ଚିତ୍ର ।

ଆଉ ଏହାର ଠିକ୍ ପରେ ପରେ ସାମ୍ନାକୁ ଆସିଥିଲା ଆଂଚଳିକ ଶ୍ରମ କମିଶନର ସରୋଜ କୁମାର ରଂଜିତୋଙ୍କ ଲାଂଚର କାହାଣୀ । ଯିଏ, ସେହି ଲାଇସେନ୍ସ କରାଇଦେବାକୁ ନେଇ ଲଂଚ ମାଗି କ୍ୟାମେରାରେ ଧରାପଡ଼ିଥିଲେ । ହେଲେ ସବୁଠାରୁ ବଡ କଥା ହେଉଛି, ବଡ଼ ବାବୁଙ୍କ ବିରୋଧରେ ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ କେବଳ କିରାଣୀଙ୍କୁ ନିଲମ୍ବନ କରି ଏକ ପ୍ରକାର ଚୁପ୍ ବସିଯାଇଛି ପ୍ରଶାସନ ।