ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ। କୋଭିଡ୍ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲକୁ ସରକାରଙ୍କ କଡା ତାଗିଦ ।

426

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ୟ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ଫିଡବ୍ୟାକ୍‌ ସଂଗ୍ରହ କରିଛନ୍ତି ।

ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ବ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
୧. ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍‌ସିଜେନ ସୁବିଧା ସବୁଠାରୁ ବଡ ପ୍ରାଥମିକତା । ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ ।

୨. ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରାକିଂ ଓ କୁ କଣ୍ଟେନମେଣ୍ଟକୁ ଜୋରଦାର କର।

୩. ଆଇସିୟୁ ଓ ଏଚଡିୟୁ ଦାୟିତ୍ବରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ନିଅ ।

୪. ଟୀକାକରଣ କାର୍ୟ୍ୟକ୍ରମ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା କରାଯାଉ । ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯାଉ । ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟୀକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଛି ।

୫. କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖ । ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ । ଯଦି ସେମାନେ ଏହା ନ କରନ୍ତି, ତେବେ ସଂପୃକ୍ତ ହସପିଟାଲ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କର ।

୬. କୋଭିଡ ହସପିଟାଲ ଗୁଡିକରେ ହେଲ୍‌ପ ଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯାଉ ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦିଆଯାଉ ।

୭. ଏଭଳି କଠିନ ସମୟରେ ଦୁଃଖ ଓ ଦୈନ୍ୟରେ ଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କର ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକ ମାସ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୋଭିଡ ସଂଖ୍ୟା ବହୁ ପରିମାଣରେ ବଢିଥିଲେ ମଧ୍ୟ କୋଭିଡ ଯୋଦ୍ଧା ମାନଙ୍କର ଦୃଢ ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ପରିସ୍ଥିତିକୁ ଠିକ୍‌ ଭାବରେ ପରିଚାଳନା କରାଯାଇପାରିଛି ।

ତଥାପି ଆହ୍ବାନ ବହୁତ ବଡ ଏବଂ ଏହି ଯୁଦ୍ଧ ବହୁତ ଲମ୍ବା । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍‌ଡାଉନ ଲାଗୁ କରାଯାଇଛି । ଏହା ଠିକ୍‌ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।