କନକ ବ୍ୟୁରୋ: ଜମି ଜବରଦଖଲକାରୀଙ୍କ ବିରୋଧରେ ମୋହନ ସରକାରଙ୍କ ବଡ଼ ଆକ୍ସନ। ଜମି ମାଫିଆଙ୍କ ସବୁ ଷଡ଼ଯନ୍ତ୍ରକୁ ପଣ୍ଡୁର କରିବା ପାଇଁ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରାଉରକେଲାରେ ବେଆଇନ୍ ନିର୍ମାଣ ଉପରେ ବୁଲିଛି ବୁଲଡୋଜର। ଏପଟେ ମାଫିଆଙ୍କ କବଜାରେ ପୋଷ୍ଟମର୍ଟମ ଘର ପରିସରରେ ଥିବା ୨୪ ଏକର ସରକାରୀ ଜମିରେ କେବେ ବୁଲଡୋଜର ବୁଲିବ, ସେନେଇ ପ୍ରଶ୍ନ ଉଠିଛି।
ଜମି ଜବରଦଖଲକାରୀଙ୍କ ବିରୋଧରେ ମୋହନ ମାଝୀଙ୍କ ସରକାର ଆପଣାଇଛି ଶୂନ୍ୟ ସହନଶୀଳତା ନୀତି। ଝାରସୁଗୁଡାର ବନ୍ଧ ବାହାଲଠାରେ ମହମ୍ମଦ ସୋନୁର ବେଆଇନ ନିର୍ମାଣ ବୁଲଡୋଜର ଲଗାଇ ଭଙ୍ଗାଯିବା ପରେ ଏବେ ଷ୍ଟିଲ୍ ସିଟି ରାଉରକେଲାରୁ ସାମ୍ନାକୁ ଆସିଛି ସରକାରୀ ଜମି ଜବରଦଖଲର ଆଉ ଏକ ଘଟଣା ।
ରାଉରକେଲା ପୋଷ୍ଟମର୍ଟମ ଘର ପରିସରରେ ଥିବା ୧୫୦ କୋଟି ମୂଲ୍ୟର ୨୪ ଏକରର ଏହି ସରକାରୀ ଜମି ଏବେ ମାଫିଆଙ୍କ କବଜାରେ। ସରକାରୀ ଜମିକୁ ନିଜ କବଜାକୁ ନେଇ ଜମି ମାଫିଆ ମାନେ ମାଲେମାଲ ହେଉଥିବା ଅଭିଯୋଗ କରାଯାଇଛି। କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବିକି ଲାଭ କମାଇବାକୁ ଜମି ମାଫିଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଫାଙ୍କା ପଡିଥିବା ଏକର ଏକର ଜମିରେ ବେଆଇନ ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି। ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବା ସହିତ ଶୀଘ୍ର ଏହି ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
୧୯୬୪ ମସିହାରେ ରାଉରକେଲା ଜମି ଆବଣ୍ଟନ କମିଟି ପକ୍ଷରୁ ଏହି ଜମିକୁ ଦକ୍ଷିଣ-ପୂର୍ବ ରେଳବାଇକୁ ଆବଣ୍ଟନ କରାଯାଇଥିଲା। ଏହି ସ୍ଥାନରେ ୱାସିଂ ଲାଇନ ପାଇଁ ପ୍ରସ୍ତାବ ରଖିଥିଲା ରେଳବାଇ। ଦୀର୍ଘ ଦିନ ହେବ ଖାଲି ପଡିବା ପରେ ଏବେ ଏହି ସରକାରୀ ଜମିକୁ ଜବରଦଖଲ କରାଯାଇଛି। ମୋଟ ୨୪ ଏକର ଜମିରୁ ୧୧ଏକର ଜମିକୁ ଜବରଦଖଲକୁ ନେଇସାରିଲେଣି ଜମି ମାଫିଆ। ଏନେଇ ପ୍ରଶାସନିକ ଅଧିକାରୀ ମାନେ ମୁହଁ ଖୋଲନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି।
ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ବେଦଖଲ କରିବାକୁ କିଛି ଦିନ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏବେ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।