କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଭଦ୍ରକରେ ବୁଥରେ ପଶି ଧମକାଉଥିବା ମହିଳାଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପ୍ରିଜାଇଡିଂ ଅଫିସର । ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତିହିଡି ବ୍ଲକର ୪ ନମ୍ବର ବୁଥରେ ଖୁଲ୍ଲମଖୁଲା ବୁଥ ରିଗିଂ କରୁଥିଲେ ଏହି ଲେଡି ଡନ୍ । ବୁଥ ଭିତରେ ପ୍ରବେଶ କରି ଅନ୍ୟ ଭୋଟରଙ୍କ ପାଇଁ ଜୋର ଜବରଦସ୍ତି ଦେଉଥିଲେ ଭୋଟ୍ । ଗଣମାଧ୍ୟମ ପ୍ରତିନିଧି ଏବଂ ଭୋଟର ଏହାକୁ ନେଇ ଆପତି ଉଠାଇବା ପରେ ସଂପୃକ୍ତ ମହିଳା ଜଣଙ୍କ ସେମାନଙ୍କୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି ।

Advertisment

ସ୍ଥିତି ଏମିତି ଉପୁଜିଲା ଯେ ମହିଳାଙ୍କ ଦୌରାତ୍ମ୍ୟ ଦେଖି ପ୍ରିଜାଇଡିଂ ଅଫିସର ବୁଥ ବାହାରେ ଥିବା ପୁଲିସର ସହାୟତା ଲୋଡିଥିଲେ । ହେଲେ ପୁଲିସ ଅଧିକାରୀ କୌଣସି ସହଯୋଗ କରିନଥିବା ଅଭିଯୋଗ ହୋଇଥିଲା । ସେପଟେ ମହିଳା ଜଣଙ୍କ କହିଛନ୍ତି ସେ କିଛି ଭୁଲ କରିନାହାନ୍ତି । ତାଙ୍କ ଗାଁର ଜଣେ ବୟସ୍କ ମହିଳାଙ୍କ ପାଇଁ ଅଧିକାରୀଙ୍କ ନିର୍ଦ୍ଦେଶରେ ସେ ଭୋଟ ଦେଇଥିଲେ । ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ବିଭିନ୍ନ ଗଣମାଧ୍ୟମ ସମ୍ମୁଖରେ ପ୍ରଚାର ହେଉଛି । ଯଦି ତାଙ୍କର ଭୁଲ ଥିବ ତେବେ ଆଇନ ଯାହା କାର୍ଯ୍ୟାନୁଷ୍ଠାନ ନେବ ସେ ସମ୍ମାନ ଦେବେ ବୋଲି କହିଛନ୍ତି ।