ହ୍ୟାଲୋ… ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କହୁଛି । ଏହାପରେ ଆରମ୍ଭ ହୋଇଗଲା କାର୍ଯ୍ୟାନୁଷ୍ଠାନର ଧାରା । ଜାଣନ୍ତୁ କଣଥିଲା ପୁରା ଘଟଣା ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସିଧା ଫୋନ ଯାଇଥିଲା ଜିଲ୍ଲାପାଳଙ୍କ ନିକଟକୁ । ଆଉ କୁହାଯାଇଥିଲା ତୁରନ୍ତ ଘଟଣାର ତନାଘନା କରି ରିପୋର୍ଟ ପ୍ରଦାନ କରିବା ପାଇଁ ।

13,016

ଲାଂଚ ମାଗି ଚାକିରୀ ଗଲା । ମୋ ସରକାରରେ ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ନୀତି ଗ୍ରହଣ କରୁଥିବା ନବୀନ ସରକାର ପୁଣି ଏକ କଡା ବାର୍ତ୍ତା ଦେଇଛନ୍ତି । ଯେଉଁଥିରେ ଗ୍ରାମୀଣ ଗୃହ ନିର୍ମାଣ ପାଇଁ ଜଣେ ହିତାଧିକାରୀଙ୍କ ଠାରୁୁ ଲାଂଚ ନେଉଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିରେ ଲାଂଚ ନେଇଥିବା ଅଧିକାରୀଙ୍କ ମଧ୍ୟରୁ କାହାକୁ ବଦଳି କରାଯାଇଥିବା ବେଳେ, କାହାକୁ ଚାକିରୀରୁ ବରଖାସ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଘଟଣାଟି ଥିଲା କିଛି ଏହିଭଳି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ହିତାଧିକାରୀ କିଛି ସମସ୍ୟାର ସାମ୍ନା କରୁଛନ୍ତି କି? ସରକାରୀ ବ୍ୟବସ୍ଥାର ଫାଇଦା ପାଇଉଛନ୍ତି କି ନାହିଁ? ଏଭଳି କିଛି ପ୍ରଶ୍ନ ସହ କିଛି ହିତାଧିକାରୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନକଲ୍ ଯାଇଥିଲା । ଯେଉଁଥିରେ ଜଣେ ହିତାଧିକାରୀ କହିଥିଲେ ତାଙ୍କ ଫଟୋ ଉଠାଇ ଅପଲୋଡ କରିବାକୁ କିଛି ଅଧିକାରୀ ଲାଂଚ ନେଇଥିଲେ ।

ସୂଚନା ଅନୁସାରେ ଫୋନ ଯାଇଥିଲା ବାଲେଶ୍ୱର ଜଳେଶ୍ୱର ବ୍ଲକର ପଶ୍ଚିମବାଡ୍ ଗ୍ରାମପଂଚାୟତର ଜଣେ ହିତାଧିକାରୀଙ୍କୁ । ଆଉ ଏହି ଫୋନ ବାର୍ତ୍ତାଳାପ ସମୟରେ ସେ ଅଭିଯୋଗ କରିଥିଲେ, ଯୋଜନାର ଲାଭ ପାଇଁ କିଛି ଅଧିକାରୀ ତାଙ୍କଠାରୁ ଲାଂଚ ନେଇଥିଲେ । ବାସ୍ ଏହି ପଦିଏ କଥା ପରେ ଆରମ୍ଭ ହୋଇଯାଇଥିଲା ତନାଘନା ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସିଧା ଫୋନ ଯାଇଥିଲା ଜିଲ୍ଲାପାଳଙ୍କ ନିକଟକୁ । ଆଉ କୁହାଯାଇଥିଲା ତୁରନ୍ତ ଏହି ଘଟଣାର ତନାଘନା କରି ରିପୋର୍ଟ ପ୍ରଦାନ କରିବା ପାଇଁ । ଏପରିକି ୧୦ ରୁ ୧୫ ଜଣ ହିତାଧିକାରୀଙ୍କ ସହ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରି ପୁରା ତଥ୍ୟ ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଦିଆଗଲା । ଅନୁସନ୍ଧାନ ବେଳେ ଜଣାପଡିଲା କିଛି ସରକାରୀ ଅଧିକାରୀ ହିତାଧିକାରୀଙ୍କ ଠାରୁ ଲାଂଚ ନେଇଛନ୍ତି । ଆଉ ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପଦକ୍ଷେପ ନିଆଗଲା ।

ସୂଚନା ଅନୁସାରେ, ଜିଆରଏସ ଜଣଙ୍କ ଟଙ୍କା ନେଇ ହିତାଧିକାରୀଙ୍କ ଫଟୋ ୱେବସାଇଟରେ ଅପଲୋଡ କରିଥିଲେ । ଏଥିରେ ଅନ୍ୟ କିଛି ଅଧିକାରୀ ମଧ୍ୟ ସାମିଲ ଥିଲେ । ଜିଆରଏସ ସବିତା ପୃଷ୍ଟିଙ୍କୁ ଚାକିରୀକୁ ଅପସାରି ଦିଆଯାଇଥିବା ବେଳେ ପିଇଓ ସୁଶାନ୍ତ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟି ଜାରି କରାଯିବା ସହ ତାଙ୍କୁ ମଧ୍ୟ ଚାକିରୀରୁ ଅନ୍ତର କରିଦିଆଯାଇଛି । ଜେଇ ଦୀନେଶ କୁମାର ଅଢାଙ୍କ ବିରୁଦ୍ଧରେ ମଧ୍ୟ ପଦକ୍ଷେପ ନିଆଯାଇଛି ।

କଥା ଏତିକିରେ ସୀମିତ ରହିନାହିଁ । ଯୋଗ୍ୟ ହିତାଧିକାରୀଙ୍କ ପ୍ରାପ୍ୟ ସେମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ, ପଶ୍ଚିମବାଡ୍ ଗ୍ରାମ ପଂଚାୟତର ହିତାଧିକାରୀଙ୍କ ସମସ୍ତ ଇନଷ୍ଟଲମେଂଟ ପ୍ରଦାନ କରାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ପୂର୍ବରୁ ମଧ୍ୟ ଲାଂଚ ଆଉ ଦୁର୍ନୀତି ସଂକ୍ରାନ୍ତରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖାସ କରି ଥାନାକୁ ଆସୁଥିବା ବ୍ୟକ୍ତି, ହସ୍ପିଟାଲକୁ ଆସୁଥିବା ରୋଗୀ ଆଉ ହିତାଧିକାରୀଙ୍କ କ୍ଷେତ୍ରରେ ଯେଭଳି କିଛି ମଧ୍ୟ ବ୍ୟତିକ୍ରମ ନହୁଏ ସେନେଇ ଜୋର ଦେଉଛନ୍ତି ରାଜ୍ୟ ସରକାର ।