ଘରୋଇ ହସ୍ପିଟାଲରେ ଟୀକାକରଣକୁ ନେଇ ବଢିଲା ଦ୍ୱନ୍ଦ୍ୱ ! BSKY ଯୋଜନା ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର ।  

106
କନକ ବ୍ୟୁରୋ: କୋଭିଡ୍ ଟୀକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ ହେବ ଟିକାକରଣ । ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ କରିବା ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଚିଠି ।
ତେବେ ରାଜ୍ୟରେ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକରଣ ନେଇ ଏକ ସମସ୍ୟା ଦେଖାଦେଇଛି । କାରଣ ଆମ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇନାହିଁ । ଏବଂ ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଏସକେୱାଇରେ ସାମିଲ ୧୮୩ ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । କେନ୍ଦ୍ର ସରକାରଙ୍କ ତାଲିକା ଅନୁଯାୟୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକେନ୍ଦ୍ର କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ସେପଟେ ମାର୍ଚ୍ଚ ୧ ତାରିଖରୁ ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଟିକା । ସେହିପରି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଯୋଗାଇ ଦେବେ ସରକାର । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୧୦ ହଜାର ସରକାରୀ ଟିକାକରଣ କେନ୍ଦ୍ର ଏବଂ ୨୦ ହଜାର ଘରୋଇ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯିବ । ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ଟିକା ଦିଆଯିବ । କିନ୍ତୁ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ହେଲେ ପଇସା ଦେବାକୁ ପଡ଼ିବ ।

Comments are closed.