ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରେ ଶେଷ ହୋଇଯିବ କୋଭିସିଲ୍ଡ ଟିକା । ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା ।

182

କନକ ବ୍ୟୁୁରୋ: କୋଭିଡ୍ ବିପକ୍ଷ ଯୁଦ୍ଧରେ ଟିକାକରଣରୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ହେଲେ ଆମ ରାଜ୍ୟରେ ଲଗାତାର ଟିକାର ଅଭାବ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଟିକା ନପଠାଇବା ହେତୁ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳୁଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଚିଠିରେ ସେ ଲେଖିଛନ୍ତି ଯେ, ଜୁଲାଇ ୯ରୁ ୧୫ ତାରିଖ ଭିତରେ ରାଜ୍ୟରେ କୋଭିସିଲ୍ଡ ଟିକା ସରିଯିବ । ଏବେ ଯେତିକି କୋଭିସିଲ୍ଡ ଟିକା ଅଛି ତାହା ୨ ଦିନ ଭିତରେ ଶେଷ ହୋଇଯିବ । ତେଣୁ ଶୀଘ୍ର କେନ୍ଦ୍ର ସରକାର ଓଡିଶାକୁ ଅତିରିକ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା ପଠାଇବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ କେବଳ ୬ ଲକ୍ଷ ୧୪ ହଜାର କୋଭିସିଲ୍ଡ ଟିକା ରହିଛି । ହେଲେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଏବେ ବି ୨୮.୩୧ ଲକ୍ଷ ଲୋକ ଅଛନ୍ତି । ଯଦି କେନ୍ଦ୍ର ସରକାର ଠିକଣା ସମୟରେ ଟିକା ନପଠାନ୍ତି ତେବେ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା ଦେଖାଦେଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟର ଟିକାକରଣରେ ଦ୍ୱିତୀୟ ଡୋଜକୁ ଅଧିକ ଫୋକସ୍ ଦେବାକୁ ମଧ୍ୟ ସେ କହିଛନ୍ତି । ଯେଉଁମାନେ ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ନେବାକୁ ଅଛନ୍ତି ସେମାନଙ୍କୁ ପ୍ରଥମେ ଟିକାକରଣ କରିବାକୁ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି ।