କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ପଜିଟିଭ୍ ହେଲେ ବ୍ୟସ୍ତ ନହୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଲେ ଏସିଏସ୍ ।

320

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ପ୍ରେସମିଟ୍ କରି ରାଜ୍ୟର କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସସିଏସ୍ ପ୍ରଦୀପ୍ତ ମହାପାତ୍ର । ଏହି ସମୟରେ ସେ ରାଜ୍ୟରେ କରୋନା ସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ ଥିବା କହିଥିବାବେଳେ ସମସ୍ତ ପ୍ରକାର ସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ।

ସେ କହିଛନ୍ତି ଯେ, ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କେସ୍ ଆସିଥିଲା । ସେପ୍ଟେମ୍ବର ୨୫ରେ ପ୍ରଥମ ପର୍ଯ୍ୟାୟ ପିକ୍ ହୋଇଥିଲା ଏବଂ ଏବେ ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ । ଗତ ୮ ଦିନ ହେଲା ଦେଶରୁ ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି, ତେଣୁ ପ୍ରତ୍ୟେକ ରାଜ୍ୟବାସୀ କୋଭିଡ୍ ନିୟମର ପାଳନ କରନ୍ତୁ । ଅନ୍ୟପଟେ କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ବଢାଯାଉଛି । ତା ସହିତ ରାଜ୍ୟରେ ପଯ୍ୟାପ୍ତ ପରିମାଣର ଔଷଧ ମହଜୁଦ୍ କରି ରଖାଯିବା ସହିତ ଅକ୍ସିଜେନ୍ ମଧ୍ୟ ରହିଛି ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ତା ସହିତ ଲୋକମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ଛାନିଆ ନହୋଇ ନିଜକୁ ସଙ୍ଗରୋଧରେ ରଖନ୍ତୁ । ଏବେ ବି ରାଜ୍ୟର ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହିଛନ୍ତି । ଟିକାକରଣ ମଧ୍ୟ ଆଗକୁ ଚାଲିବ, ଏହି ସମୟରେ ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ ସରକାର ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି ।