କନକ ବ୍ୟୁରୋ: ତତଲା ତାୱାରେ ଭାଜି ହେଉଛି ସାରା ଓଡ଼ିଶା । ଖରାରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ । ଉତାପ ବଢିବା ଯୋଗୁ ମଣିଷ ପ୍ରଭାବିତ ହୋଇଥିବା ବେଳେ ଚାଷୀର ଚାଷ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଖରା ଯୋଗୁ ପାଣି ମିଳୁନି ଆଉ ଶୁଖିଲା ପଡିଲାଣି ଚାଷ ଜମି । ଖୋର୍ଦ୍ଧାର ଦକ୍ଷିଣ ବେଗୁନିଆ ଅଂଚଳରେ ପାଣି ଅଭାବରୁ ଚାଷ ସମ୍ପ୍ରୁ୍ଣ୍ଣ ପ୍ରଭାବିତ ହୋଇଛି । ପ୍ରାୟ ଲୋକ ଚାଷବାସ ଉପରେ ନିର୍ଭର କରି ଚଳୁଥିବା ବେଳେ ଧାନ ସହ ବିଭିନ୍ନ ପନିପରିବା ଚାଷ କରି ଲାଭବାନ୍ ହୋଇଥାନ୍ତି । ହେଲେ ଚଳିତଥର ପ୍ରଚଣ୍ଡ ଖରାରେ ଜମି ସବୁ ଶୁଖିଲା ପଡିଛି ନଈ ନାଳ ଓ କେନାଲରେ ପାଣିନଥିବାରୁ ଚାଷ ଜମି ସବୁ ଫାଟି ଆଁ କରିଛି ।
ସେହିଭଳି ସିକୋ ପଂଚାୟତର ଅନେକ ଜମି ମଧ୍ୟ ଖରାଯୋଗୁ ଫାଟି ଆଁ କରିଛି । ଲିଫ୍ଟ ଇରିଗେସନ ମାଧ୍ୟମରେ ପାଣି ପାଉଥିବା ଚାଷୀ ମାନେ ମଧ୍ୟ ନିରାଶ ହୋଇଛନ୍ତି । ବିଶେଷକରି ବାଇଗଣରୁ ନେଇ ଟମାଟୋ, ସୂର୍ଯ୍ୟମୁଖୀ ଆଦି ଫସଲ କରିଥିବା ଚାଷୀ ମାନେ ପାଣି ନପାଇ କ୍ଷତିରେ ପଡିଲେଣି । ଅମଳ ହେବାକୁ ଥିବାବେଳେ ଫସଲ ସବୁ ନଷ୍ଟ ହୋଇଯାଇଛି । ବିଭିନ୍ନ ସ୍ଥାନରୁ ଟଙ୍କା ଆଣି ଚାଷ କରିଥିବା ଚାଷୀ ଏବେ ଧାର କରଜ କିଭଳି ସୁଝିବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଲାଣି ।
ଖରା ଯୋଗୁ କେନାଲ ପୋଖରୀ ଶୁଖିଲା ପଡିଛି । ଆଉ ଚାଷ ସବୁ ନଷ୍ଟ ହୋଇଗଲାଣି । ତେଣୁ ଏବେଠାରୁ ଚାଷୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇ ପାଣିର ବ୍ୟବସ୍ଥା କରାଯାଇ ପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।