କନକ ବ୍ୟୁରୋ: କିଛି ଦିନ ତଳେ ବାଲେଶ୍ୱର ଭୀମାପୁରା ଅଞ୍ଚଳର ବନିତା ସିଂ ଯେତେବେଳେ ମନ୍ଦିରରେ ଚନ୍ଦନ ରାଣାଙ୍କୁ ପ୍ରେମ ବିବାହ କରିଥିଲେ, ସେତେବେଳେ ଜାଣିନଥିଲେ ସେ କେତେବଡ଼ ଭୁଲ କରୁଛନ୍ତି । ତାଙ୍କର ସାମାନ୍ୟତମ ଧାରଣା ନଥିଲା, ଯାହାକୁ ସାତ ଜନ୍ମର ସାଥୀ ବାଛିଛନ୍ତି, ସେ ସ୍ୱାମୀ ନୁହେଁ, ସ୍ୱାମୀ ରୂପରେ ଜଣେ ସୈତାନ । ପୂର୍ବରୁ ବିବାହ କରିଥିବା ଚନ୍ଦନ ରଣା, ତାଙ୍କୁ ପ୍ରେମ ନୁହେଁ ପ୍ରତାରଣା କରିଛି ।

Advertisment

ଫେବ୍ରୁଆରୀ ୨୦ ତାରିଖରେ ବନିତାଙ୍କ ଜୀବନରେ ଘୋଟି ଆସିଲା କଳା ବାଦଲ । ଚନ୍ଦନ ରଣାର ପ୍ରକୃତ ଚରିତ୍ର ଜାଣିବା ପରେ ନିଜ ଘରକୁ ଚାଲି ଆସିଥିଲେ ବନିତା । ଏହାକୁ ନେଇ ପ୍ରତିଶୋଧର ଭୂତ ସବାର ହୋଇଥିଲା ଚନ୍ଦନ ଉପରେ । ଯାହା ସହ ପ୍ରେମ ଅଭିନୟ କରି ବିବାହ କରିଥିଲା, ତା’ ଉପରେ ଏସିଡ୍ ପକାଇ ଜାଳି ଦେବାକୁ ଯୋଜନା କରିଥିଲା । ବନିତାଙ୍କ ଘରେ ପଶି ଏସିଡ୍ ମାଡ଼ କରିଥିଲା ଚନ୍ଦନ । ଫଳରେ ବନିତା, ତାଙ୍କ ଭଉଣୀ ବର୍ଷା ଗୁରୁତର ଆହତ ହୋଇଥିଲେ । ବର୍ଷାଙ୍କ କୁନି ଝିଅ ଓ ପୁଅ ମଧ୍ୟ ଆହତ ହୋଇଥିଲେ ।

ବନିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୬ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ବନିତା । ଏସିଡ୍ ମାଡ଼ କରିବା ପରେ ଅଭିଯୁକ୍ତ ଚନ୍ଦନ ରଣା ଫେରାର ହୋଇଯାଇଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣାକୁ ଖୋଜୁଛି ବାଲେଶ୍ୱର ପୁଲିସ । ଫେରାର ହେବାରେ ସାହାଯ୍ୟ କରିଥିବା ଚନ୍ଦନର ପ୍ରଥମ ପତ୍ନୀ ଓ ତା’ର ଜଣେ ସାଙ୍ଗକୁ ଗିରଫ କରାଯାଇଛି ।