ହୋମନିଆଁକୁ ସାକ୍ଷୀ ରଖି ସ୍ୱାମୀ-ସ୍ତ୍ରୀ ସାଜିଲେ ସରୋଜ- ପ୍ରମୋଦିନୀ । ଏସିଡ ଆକ୍ରମଣର ୧୨ ବର୍ଷ ପରେ ପ୍ରମୋଦିନୀଙ୍କ ମୁହଁରେ ଫୁଟିଲା ହସ
କନକ ବ୍ୟୁରୋ: ଏ ହସ ହୃଦୟର ହସ, ଏ ହସ ହଜାରେ ହରାଇବା ପରେ ଲକ୍ଷେ ପାଇବାର ହସ, ହାରି ହାରି ଜିତିବାର ହସ… କେଉଁ ହାଟରେ ଖୋଜିଲେ ବି ମିଳିବନି ଏ ହସ, ଯାହା ପ୍ରମୋଦିନୀଙ୍କ ମୁହଁରେ ପସରା ମେଲାଇଛି । ହଁ ଆଜି ସରୋଜଙ୍କୁ ପାଇ ବେଶ ଖୁସି ଅଛନ୍ତି ପ୍ରମୋଦିନୀ । ଏସିଡ ଆକ୍ରମଣ ପରେ ଯନ୍ତ୍ରଣାର ଯଖମରେ ମନର ମଲମ ମାରି ସରୋଜ ପ୍ରମୋଦିନୀଙ୍କର ଯେଉଁ ପ୍ରେମଭରା ଯତ୍ନ ନେଇଥିଲେ ଆଜି ତାର ପ୍ରତିଫଳନ ଦେଖିବାକୁ ମିଳିଛି । ହୃଦୟର ମଣିଷ ସହ ହାତଗଣ୍ଠି ପଡିବା ପରେ ସରୋଜଙ୍କ ପାଇଁ ପ୍ରମୋଦିନୀଙ୍କ ଜୀବନ ପୂରିଲା ପୂରିଲା ହୋଇଛି, ଶାଶ୍ୱତ ପ୍ରେମ ସାର୍ଥକ ହୋଇଛି । ଏଠି ଗୋଟେ ହୃଦୟ, ହୃଦୟକୁ ଦେଖିଛି, ମନକୁ ମାପିଛି । ଚେହେରା ଚାହିଁନି କି ରୂପକୁ ଦେଖିନି । ସେଇଥିପାଇଁ ତ ସରୋଜ ଆସିବା ପରେ ପ୍ରମୋଦିନୀଙ୍କ ପାଖେପାଖେ ଖାଲି ଖୁସି ଖେଳୁଛି…
Kanak News is now on WhatsApp
Join and get latest news updates delivered to you via WhatsApp
ପଡିଲା ହାତଗଣ୍ଠି, ସାକ୍ଷୀ ରହିଲା ହୋମନିଆଁ । ବେଦୀରେ ବରଣମାଳ ଦେଇ ସରୋଜ ପ୍ରମୋଦିନୀ ସାଜିଲେ ବର କନିଆଁ । ଆଉ ଯୁଗ ଯୁଗ ପାଇଁ ପାଲଟିଗଲେ ଜୀବନସାଥୀ । ଜଗତସିଂହପୁର ଜିଲ୍ଲା ତିର୍ତୋଲ କନକପୁର ଠାରେ ଭୁବନେଶ୍ୱରର ସରୋଜ ସାହୁଙ୍କୁ ବିବାହ କରିଛନ୍ତି ପ୍ରମୋଦିନୀ । ବୈଦିକ ରୀତିନୀତିରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଦୁହିଁଙ୍କ ବାହାଘରରେ ଖୁସି ଅଛନ୍ତି ସମସ୍ତେ । ସରୋଜ ବରସାଜି ଆସିବେ ବୋଲି ନିଜକୁ ବଧୂବେଶରେ ସଜେଇଥିଲେ ପ୍ରମୋଦିନୀ । ଲାଲଟୁକୁଟୁକୁ ସାଧବବୋହୂ ସାଜି ସରୋଜଙ୍କ ଅପେକ୍ଷା କରିଥିଲେ । ଆଉ ସରୋଜ ବାଜା, ବାଣ, ରୋଷଣୀ ଧରି ବରଯାତ୍ରୀ ନେଇ ପ୍ରମୋଦିନୀଙ୍କ ଘରେ ପହଞ୍ଚିଥିଲେ । ଡିଜେ ଧୂନରେ ସମସ୍ତେ ଝୁମିଥିବା ବେଳେ ପ୍ରମୋଦିନୀଙ୍କୁ ବାହା ହୋଇ ସରୋଜ କହିଛନ୍ତି ମୁଁ ଚେହେରା ଦେଖିନି, ହୃଦୟ ଦେଖି ବାହା ହୋଇଛି ।
ସେପଟେ ଏ ଖୁସି ମାହୋଲ ତାଙ୍କ ଜୀବନରେ କେବେ ଆସିବ ବୋଲି ଭାବିନଥିଲେ ବୋଲି ପ୍ରମୋଦିନୀ କହିଛନ୍ତି । ୨୦୦୫ ପରେ କେମିତ ୯ ବର୍ଷ ସେ ଯନ୍ତ୍ରଣାରେ ଛଟପଟ ହୋଇ ଅନ୍ଧାରୀ ଜୀବନ କାଟୁଥିଲେ ତାହା କହିଛନ୍ତି । ଆଉ ପ୍ରମୋଦିନୀଙ୍କ ମାଆ ବି ସେଦିନର ଅଘଟଣକୁ ମନେପକାଇ ଥମଥମ ହୋଇଛନ୍ତି ।
ତେବେ ୨୦୦୯ରେ ଯୁକ୍ତ ୨ ପଢୁଥିବା ବେଳେ ଏକତରଫା ପ୍ରେମ କରୁଥିବା ଯୁବକର ଏସିଡ୍ ମାଡର ଶିକାର ହୋଇଥିଲେ ଜଗତସିଂହପୁରର ପ୍ରମୋଦିନୀ ରାଉଳ । ଯୁବକର ଏକତରଫା ପ୍ରେମକୁ ପ୍ରତ୍ୟାଖାନ କରିବା ପରେ ପ୍ରମୋଦିନୀଙ୍କଏମିତି ଅବସ୍ଥା କରିଥିଲା ସୈତାନ । ଏସିଡ ଆକ୍ରମଣର ପରେ ୨୦୦୯ରୁ ୨୦୧୪ ଯାଏଁ ପ୍ରମୋଦିନୀଙ୍କୁ କୋମାକୁ ପଠାଇଥିଲା ତରଳ ନିଆଁ । ପରେ ସେ ଧିରେଧିରେ ସୁସ୍ଥ ହେବାକୁ ଲାଗିଥିଲେ । ବାସ୍ ଏହି ସମୟରେ ସରୋଜଙ୍କ ସହ ଭେଟ ହୋଇଥିଲା ପ୍ରମୋଦିନୀଙ୍କର । ଦୁଃଖର ଦିନ କାଟୁଥିବା ପ୍ରମୋଦିନୀଙ୍କ ସେବାଯତ୍ନ କରୁ କରୁ ଉଭୟ ପ୍ରେମରେ ପଡିଯାଇଥିଲେ । ଆଉ ସେହି ପ୍ରେମ ୨୦୧୯ରେ ଲକ୍ଷେ୍ନାରେ ନିର୍ବନ୍ଧରେ ବଦଳିଥିଲା ।
ଭାଲେଣ୍ଟାଇନ ଡେରେ ସେମାନଙ୍କ ନିର୍ବନ୍ଧ ହୋଇଥିବା ବେଳେ ଠିକ ଦୁଇ ବର୍ଷ ପରେ ସାମାଜିକ ସ୍ୱୀକୃତି ସହ ସ୍ୱାମୀ-ସ୍ତ୍ରୀ ସାଜିଛନ୍ତି ସରୋଜ- ପ୍ରମୋଦିନୀ । ଆଉ ସରୋଜ-ପ୍ରମୋଦିନୀଙ୍କ ବିବାହରେ ଉଭୟ ପରିବାର ବେଶ ଖୁସି ଅଛନ୍ତି । ସତରେ ଏ ନିଆରା ପ୍ରେମ କାହାଣୀକୁ କହିଲେ କେହି ଜାଣିପାରିବେନି ୟାକୁ କେବଳ ଅନୁଭବ କରିଲେ ହିଁ ଜାଣିହେବ ଏ ସମ୍ପର୍କ ପାଇଁ ଦୁଇଜଣ କେତେ ତ୍ୟାଗ କରିଥିବେ । ଏଠି ପ୍ରେମ ସୁନ୍ଦର ଚେହେରା ନୁହେଁ ସୁନ୍ଦର ହୃଦୟ ପାଇଁ ହିଁ ସମ୍ଭବ ହୋଇଛି ।