ରାଜ୍ୟସଭାରୁ ଲୋକସଭା ପ୍ରାର୍ଥୀ ! ପ୍ରସନ୍ନ ଆଚାର୍ଯ୍ୟ ଓ ଅଚ୍ୟୁତ ସାମନ୍ତ ଲଢିବେ ନିର୍ବାଚନ ।

585

କନକ ବ୍ୟୁରୋ : ସରଗରମ ହୋଇଛି ରାଜ୍ୟ ରାଜନୀତି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏବଂ ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ଟି ଲୋକସଭା ସହ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କୁହାଯାଉଛି ଏଥର ବିଜେଡି ଫୋକସରେ ରହିଛି ପଶ୍ଚିମ ଓଡିଶା । ଆଉ ଏହାରି ଭିତରେ ଯଦି ନଜର ପକାଇବା, ତେବେ ଦୁଇଜଣ ରାଜ୍ୟସଭା ସାଂସଦଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । କନ୍ଧମାଳ ଲୋକସଭା ଆସନ ପାଇଁ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ସେହିପରି ବରଗଡ ଲୋକସଭା ଆସନ ପାଇଁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

୨୦୧୮ରେ ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲା ବିଜେଡି । ଆଉ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାରେ ବିଜେଡିକୁ ସେତେଟା ସଫଳତା ମିଳିନଥିବା ବେଳେ, ବିଜେପୁର ଉପନିର୍ବାଚନରେ କିନ୍ତୁ ଶକ୍ତି ଦେଖାଇଥିଲା ବିଜୁ ଜନତା ଦଳ । ଆଉ ଆଗାମୀ ନିର୍ବାଚନ ପାଇଁ ପଶ୍ଚିମ ଓଡିଶାକୁ ଫୋକସ କରିଛି ବିଜେଡି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଲଢିବା ପାଇଁ ସ୍ଥିର କରିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ସେହିପରି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ ଲୋକସଭା ଆସନରେ ପ୍ରାର୍ଥୀ କରିବା ପାଇଁ ସ୍ଥିର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୬ ମସିହା ଠାରୁ ରାଜ୍ୟସଭା ସାଂସଦ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ବିଗତ କିଛି ଦିନ ଧରି ପ୍ରାର୍ଥୀ ଘୋଷଣାକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ, କିଏ କେଉଁ ଆସନରୁ ଲଢିବେ ସେନେଇ ମଧ୍ୟ ଛକାପଂଝା ଲାଗି ରହିଥିଲା । ଏପରିକି ହେଭିୱେଟ୍ ନେତାମାନେ ମଧ୍ୟ ନବୀନ ନିବାସରେ ପହଞ୍ଚି ଟିକେଟ୍ ପାଇଁ ଲବି କରୁଥିବା ଦେଖିବାକୁ ମିଳିଥିଲା । ୪ଟି ପର୍ଯ୍ୟାୟରେ ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବଂ ଆଜିଠୁ ଆସନ୍ତା ୨୫ ତାରିଖ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ।