କନକ ବ୍ୟୁରୋ : କୋଟି ହୃଦୟର ଆରାଧ୍ୟ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି । ଆଜି ସକାଳ ୯.୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ୮୯ ବର୍ଷ ବୟସରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗୁରୁବାର ଡାକ୍ତରଖାନା ପକ୍ଷରୁ ଶ୍ରୀଶ୍ରୀଦାଦାଙ୍କର ବିୟୋଗ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ମିସନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଭାରତ ଓ ବିଦେଶରେ ଥିବା କୋଟିକୋଟି ସତସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବୈଦିକ ବିଧିମତେ ଆଚାର୍ଯ୍ୟଦେବଙ୍କର ଶେଷକୃତ୍ୟ ଦକ୍ଷିଣ ଦୁର୍ଗାପୁରସ୍ଥିତ ସତସଙ୍ଗ ବିହାର ପରିସରରେ ସଂପନ୍ନ୍ ହେବ ବୋଲି ସୂଚନା ମିଳିଛି ।
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା, ଶ୍ରୀଶ୍ରୀଠାକୁରଙ୍କର ଭାବାଦର୍ଶ ଓ ‘ସତସଙ୍ଗ’ ଆନ୍ଦୋଳନର ବିସ୍ତାରରେ ନିଜକୁ ସାମିଲ କରିଥିଲେ। ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ଏବେକାର ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀଶ୍ରୀଦାଦା ୧୯୯୪ ମସିହାରେ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ଅଭିଷିକ୍ତ ହେବାପରେ ତାଙ୍କର ଅଭିଭାବକତ୍ୱ ଓ ନେତୃତ୍ବରେ କାୟାବିସ୍ତାର କରିଥିଲା ସତସଙ୍ଗ। ପ୍ରତିଟି ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ସୂତ୍ର ଧରାଇବା ଲାଗି ତା’ର ଦ୍ବାରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ ସେ।
ଶ୍ରୀଶ୍ରୀଦାଦାଙ୍କ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ‘ସତସଙ୍ଗ’ର ପ୍ରତିଟି କର୍ମୀ ସକ୍ରିୟ ହୋଇ ଉଠିଥିଲେ ଏବଂ ନିଜର ସାମର୍ଥ୍ୟକୁ ବୃଦ୍ଧି କରି ଜାତି-ବର୍ଣ୍ଣ-ସଂପ୍ରଦାୟ-ନିର୍ବିଶେଷରେ କୋଟିକୋଟି ଆଗ୍ରହୀ ମଣିଷଙ୍କୁ ସତ୍ନାମରେ ଅଭିମନ୍ତ୍ରିତ କରିଥିଲେ। ଫଳରେ ବର୍ତ୍ତମାନ ଭାରତର ପ୍ରତି ରାଜ୍ୟ ଓ ବିଶ୍ବର ଅନେକ ଦେଶରେ ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ରହିଥିବା ବେଳେ ‘ସତସଙ୍ଗ’ କେନ୍ଦ୍ର, ମନ୍ଦିର ଓ ବିହାର ଗଢ଼ିଉଠିଛି। ସମାଜର ସବୁବର୍ଗର ମଣିଷ ଶ୍ରୀଶ୍ରୀଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଚାର୍ଯ୍ୟଦେବଙ୍କ ମାର୍ଗଦର୍ଶନ ମାଧ୍ୟମରେ ସବୁ ସମସ୍ୟାର ସମାଧାନ ପାଇପାରୁଥିଲେ।
ଦୀକ୍ଷିତ-ଅଦୀକ୍ଷିତ-ନିର୍ବିଶେଷରେ ପ୍ରତିଟି ମଣିଷର ଦୁଃଖ-ବେଦନା, ସମସ୍ୟା-ସଂକଟ, ଦ୍ୱନ୍ଦ୍ୱ-ଅନୁଶୋଚନା ଦୂର କରିବା ଲାଗି ସେ ସବୁବେଳେ ପ୍ରୟାସ କରି ଆସୁଥିଲେ । ପ୍ରତିଦିନ ତାଙ୍କ ନିକଟକୁ ଦେଶବିଦେଶର କୋଣ-ଅନୁକୋଣରୁ ଛୁଟି ଆସୁଥିଲେ ହଜାର ହଜାର ସମସ୍ୟା ଜର୍ଜରିତ ମଣିଷ। ଅତି ଆପଣାର ମଣିଷ ଭାବି କହିପକାଉଥିଲେ ବୁକୁତଳର ବ୍ୟଥା। ଆଉ ସେ ସକଳ ଦୁର୍ଦ୍ଦଶାକୁ ଟାଣିନେଇ ସ୍ୱସ୍ତି ଓ ଆଶ୍ବସ୍ତିର ପଥ ଦେଖାଇଦେଉଥିଲେ। କିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତ ଆଉ କିଏ ଆର୍ଥିକ ଅନଟନର ଶିକାର, ପୁଣି କିଏ ପାରିବାରିକ ସମସ୍ୟା କବଳିତ ହୋଇ ଅଶାନ୍ତିରେ ଆଉଟୁପାଉଟୁ, ଏମିତି କେତେ ଜଟିଳ ସମସ୍ୟାର ସରଳ ସମାଧାନ ଦେଇ ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ରାହା ଦେଖାଉଥିଲେ ସେ।
ଶ୍ରୀଶ୍ରୀଦାଦାଙ୍କ ନିର୍ଦ୍ଦେଶ ପରିପାଳନ କରି କେତେ ଯେ ମଣିଷ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ଓ ତାଙ୍କ ପ୍ରଦତ୍ତ ଚିକିତ୍ସାମାର୍ଗର ଅନୁସରଣ କରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇଛନ୍ତି ତା’ର କଳନା ନାହିଁ। ଆଚାର୍ୟ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି।