ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା । ପରିବାରକୁ ନ୍ୟାୟ ଦାବିରେ ଖଇରା ବନ୍ଦ

92

କନକ ବ୍ୟୁରୋ : ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀଙ୍କୁ ଦଣ୍ଡ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ । ସ୍ଥାନୀୟ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଦିନ ୧୨ଟା ପର୍ଯ୍ୟନ୍ତ ଖଇରା ବନ୍ଦ କରାଯାଉଛି । ସୋର କୁପାରୀ ରାଜ୍ୟ ରାଜପଥ ଦୋକାନ ବଜାର ବନ୍ଦ ରହିଛି । ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ୫୯ ଦିନ ବିତି ଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରି ବନ୍ଦ ପାଳନ କରାଯାଉଛି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଦୋଷୀଙ୍କ ଦଣ୍ଡ ଦେବା ସହ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ଗଜପତି ପୁଲିସର ତଦନ୍ତପରେ ମାମଲାର ତଦନ୍ତଭାର କ୍ରାମବ୍ରାଞ୍ଚ ହାତକୁ ହସ୍ତାନ୍ତର କରାଯିବା ପରେ କ୍ରାଇମବ୍ରାଞ୍ଚ ଏ ଜିଲ୍ଲାରୁ ସେ ଜିଲ୍ଲା ବୁଲି ବୁଲି ବୟାନ ରେକର୍ଡ କରିଛି । ହେଲେ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇବାରେ ଅସଫଳ ହୋଇପଡ଼ିଛି । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ସିଧାସଳଖ ଡିଏଫଓ, ପତ୍ନୀ ବିଦ୍ୟାଭାରତୀ ଏବଂ ରୋଷେୟାଙ୍କ ସମ୍ପୃକ୍ତି ଥିବା  ନେଇ ଅଭିଯୋଗ କରିବା ପରେ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନି ତଦନ୍ତକାରୀ ଟିମ୍ । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ରହସ୍ୟର ଅଡୁଆ ସୂତା ଛନ୍ଦି ହେବାରେ ଲାଗିଛି । ଏଥିପାଇଁ ଆଜି ଖଇରା ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ଦାବିରେ ଆଜି  ଖଇରା ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ, କୃଷକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅଞ୍ଚଳର ଯୁବକମାନେ ଖଇରା ବଜାରକୁ ୬ଘଣ୍ଟାପାଇଁ ବନ୍ଦ ଡାକରା ଦେଇଛନ୍ତି । ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ, ଅଫିସ ଏବଂ ସୋର-କୁପାରୀ ରାଜ୍ୟରାଜପଥକୁ ବନ୍ଦ କରିଛନ୍ତି ।