ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ । ଭାଇରାଲ ହେଉଛି ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ।

ଚିଠିରେ ଲେଖିଛନ୍ତି, ଏହି ବ୍ୟକ୍ତିଙ୍କୁ ଘୃଣା କରନ୍ତି । ଗୋଟିଏ ନିଷ୍ପତ୍ତି ତାଙ୍କ ଜୀବନକୁ ବରବାଦ କରିଦେଇଛି 

597

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠି ଏବେ ଭାଇରାଲ ହେଉଛି । ସୌମ୍ୟଙ୍କ ମୃତ୍ୟୁର କିଛି ଦିନ ଆଗରୁ ଏହି ଚିଠି ଲେଖିଥିବା ମାନିଛନ୍ତି ବିଦ୍ୟାଭାରତୀ । ତେବେ ଚିଠିରେ ସେ ଲେଖିଛନ୍ତି ସେହି ବ୍ୟକ୍ତିଙ୍କୁ ସେ ଘୃଣା କରନ୍ତି, ଏକ ଭୁଲ ନିଷ୍ପତ୍ତି ଯୋଗୁଁ ତାଙ୍କ ଜୀବନ ବରବାଦ ହୋଇଯାଇଛି ।

ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଲେଖିଥିବା ଏହି ଚିଠି ହିଁ ବୟାନ କରୁଛି ସ୍ୱାମୀଙ୍କ ସହ ତାଙ୍କର ଭୀଷଣ ମନୋମାଳିନ୍ୟ ଥିଲା । ସୌମ୍ୟଙ୍କୁ ସେ ଘୃଣା କରୁଥିଲେ । ଏପରିକି ସୌମ୍ୟଙ୍କ ସହ ତାଙ୍କ ନାଁ ଯୋଡି ହୋଇଥିବାରୁ ସେ ପଶ୍ଚାତାପ କରୁଥିଲେ । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ତାଙ୍କ ଜୀବନକୁ ନଷ୍ଟ କରିଦେଲା ସେହିକଥା ଚିଠିରେ କହିଥିଲେ । ଅନ୍ୟଜଣେ  ଝିଅ ସହ ସୌମ୍ୟଙ୍କ ସମ୍ପର୍କ ଥିବା ଜାଣିବା ପରେ ଦୁଃଖରେ ଭାଙ୍ଗିପଡି ଏହି ଚିଠିଟିକୁ ଲେଖିଥିବା କହିଛନ୍ତି ବିଦ୍ୟାଭାରତୀ ।

ତେବେ ଚିଠିର ଏବେ କୌଣସି ମୂଲ୍ୟ ନଥିବା କହୁଛନ୍ତି ବିଦ୍ୟାଭାରତୀ । ଚିଠିଟି କେବେ ଲେଖାଯାଇଛି, ଜଣାପଡିନଥିଲେ ମଧ୍ୟ – ଏଥିରେ ଦିନ ତିନିଟା କେମିତି କଟିବ ବୋଲି କାହିଁକି ଲେଖିଛନ୍ତି ବିଦ୍ୟାଭାରତୀ? ଆଉ ୧୨ରୁ ୧୫ ଲେଖିବାର କ’ଣ ଉଦ୍ଦେଶ୍ୟ? ଜୁଲାଇ ୧୩ ତାରିଖରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିବାରୁ ବିଦ୍ୟାଭାରତୀଙ୍କ ଚିଠିରେ ଲେଖାଥିବା – ଏହି ଦୁଇଧାଡି ଉପରେ ଏବେ ସନ୍ଦେହ ବଢିବାରେ ଲାଗିଛି ।

ଅନ୍ୟପଟେ ବୋହୂ ବିଦ୍ୟାଭାରତୀଙ୍କ ବିରୋଧରେ ସୌମ୍ୟଙ୍କ ପରିବାରର ଅନୈତିକ ସମ୍ପର୍କର ଅଭିଯୋଗ , ଆଉ ସୌମ୍ୟଙ୍କ ଅନ୍ୟଜଣେ ଝିଅ ସହ ସମ୍ପର୍କ ଥିବାନେଇ ପତ୍ନୀଙ୍କ ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ଏକ କୋର୍ଟ ଏଗ୍ରିମେଣ୍ଟ । ଜୁଲାଇ ୯ ତାରିଖରେ ହୋଇଥିବା ଏହି ଏଗ୍ରିମେଣ୍ଟରେ ସୌମ୍ୟ ପାଉଥିବା ୫୮ ହଜାର ଟଙ୍କା ଦରମାଠାରୁ ଆରମ୍ଭ କରି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ପତ୍ନୀ ବିଦ୍ୟାଭାରତୀ ହେବେ ବୋଲି ଏକ ଏଗ୍ରିମେଣ୍ଟ କରାଯାଇଛି । ତେବେ କାହିଁକି ଏଭଳି ଏଗ୍ରିମେଣ୍ଟ କରିବା ଆବଶ୍ୟକ ମନେକଲେ ସୌମ୍ୟରଞ୍ଜନ ତାହା ହିଁ ବଡପ୍ରଶ୍ନ ।

ଘଟଣା ଘଟିବା ଦିନ ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ ହସ୍ପିଟାଲ ଆଣିବା ପରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ  ପତ୍ନୀ ବିଦ୍ୟାଭାରତୀ । ସ୍ୱାମୀଙ୍କୁ ସବୁଠାରୁ ଭଲ ଚିକିତ୍ସା ଯୋଗାଇଦେବା ପାଇଁ କେଉଁଠାକୁ ନେଲେ ଭଲହେବ ବୋଲି କାହାରିକୁ ଫୋନ କରି ବାରମ୍ବାର ପ୍ରଶ୍ନ କରୁଥିଲେ । ଗୋଟିଏ ପଟେ ସ୍ୱାମୀଙ୍କ ପାଇଁ ଏଭଲି ବ୍ୟସ୍ତତା ଆଉ ଅନ୍ୟପଟେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରି ଶ୍ୱଶୂରଘର ଲୋକଙ୍କ ଅଭିଯୋଗ ଭିତରେ ଏବେ ପ୍ରଶ୍ନ ଉଠୁଛି ଆସନ୍ତାକାଲି ସ୍ୱାମୀଙ୍କ ଦଶାହରେ ଯୋଗ ଦେବେ ତ ପତ୍ନୀ ବିଦ୍ୟାଭାରତୀ ?