ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସରିଲା ତଦନ୍ତ । ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ ।

170

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାର ତଦନ୍ତ ଶେଷ କରିଛି କ୍ରାଇମବ୍ରାଂଚ । ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସେହିପରି ଘଟଣାପରଠୁ ଚର୍ଚ୍ଚାରେ ଥିବା ଡିଏଫଓ ସଂଗ୍ରାମକେଶରୀ ବେହେରାଙ୍କୁ କ୍ଲିନଚିଟ୍ ଦେଇଛି କ୍ରାଇମବ୍ରାଂଚ । ପୂର୍ବରୁ ପାରଳାଖେମୁଣ୍ଡି ପୁଲିସ ଓ ଏବେ କ୍ରାଇମବ୍ରାଂଚ, ଡିଏଫଓଙ୍କୁ ଦୋଷମୁକ୍ତ କରିବା ଚର୍ଚ୍ଚା ସୃଷ୍ଟି କରିଛି । ସୌମ୍ୟରଂଜନଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ ଦୁର୍ଘଟଣା ଜନିତ ବୋଲି କ୍ରାଇମବ୍ରାଂଚ ଦର୍ଶାଇଛି ।

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାର ସରିଲା ତଦନ୍ତ । ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଂଚ । ସୌମ୍ୟରଂଜନଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍ ଦେଇଛି । ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ କ୍ରାଇମବ୍ରାଂଚ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ।

ବିଦ୍ୟାଭାରତୀଙ୍କ ବିରୋଧରେ ଧାରା ୩୦୪-ଏ, ଅର୍ଥାତ ଅବହେଳା ଯୋଗୁଁ ମୃତ୍ୟୁ, ଧାରା ୨୮୫, ଅର୍ଥାତ ନିଆଁ ଲାଗିଥିବା ବେଳେ ଅବହେଳା ପ୍ରଦର୍ଶନ, ଏହି ଦୁଇଟି ଦଫାରେ ଚାର୍ଜସିଟ ଦାଖଲ କରାଯାଇଛି । ଏସିଏଫ ସୌମ୍ୟ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଡିଏସପି ଜ୍ଞାନରଂଜନ ମିଶ୍ର ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି । ୮୦ ଜଣଙ୍କ ସାକ୍ଷ୍ୟ, ସମସ୍ତଙ୍କ ଫୋନ କଲ ବିବରଣୀ, ସୌମ୍ୟରଂଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଲାଏ ଡିଟେକସନ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି ।

ସୌମ୍ୟରଂଜନଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ, ଦୁର୍ଘଟଣା ଜନିତ ବୋଲି ଦର୍ଶାଇଛି କ୍ରାଇମବ୍ରାଂଚ । ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ଅବହେଳା ପାଇଁ ପତ୍ନୀ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ କରାଯାଇଛି । ଅନ୍ୟପଟେ ପୂର୍ବତନ ପୁଲିସ ଅଧିକାରୀ ସଂଜୀବ ମାରିକ କ୍ରାଇବ୍ରାଂଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ।

କ୍ରାଇମବ୍ରାଂଚ ତଦନ୍ତ ଦାୟିତ୍ୱ ନେବା ଆଗରୁ ବିଦ୍ୟାଭାରତୀ ଓ ଡିଏଫଓ ସଂପର୍କକୁ ନେଇ ପ୍ରଶ୍ନ ଉଠାଇ ହତ୍ୟା ଅଭିଯୋଗ ଆଣିଥିଲେ ସୌମ୍ୟରଂଜନଙ୍କ ପରିବାର । ପ୍ରଥମେ ପାରଳାଖେମୁଣ୍ଡି ପୁଲିସ ଓ ପରେ କ୍ରାଇମବ୍ରାଂଚ ତଦନ୍ତଭାର ଗ୍ରହଣ କରିଥିଲା । ପ୍ରାୟ ଦେଢ ମାସ ତଦନ୍ତ କରିବା ପରେ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କହିଛି କ୍ରାଇମବ୍ରାଂଚ ।