ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା । କ୍ୱାର୍ଟରର ଚାରିକାନ୍ଥ ଭିତରେ କଣ ଘଟିଥିଲା? ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି ।

350

କନକ ବ୍ୟୁରୋ: ଅଘଟଣ, ଷଡ଼ଯନ୍ତ୍ର, ହତ୍ୟା । ମୁଖ୍ୟତଃ ଏହି ୩ଟି ବିନ୍ଦୁ ଉପରେ ଘୁରି ବୁଲୁଛି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଆଉ ଏହାରି ଭିତରେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି ଯେତେବେଳେ, ସାଇଣ୍ଟିଫିକ ଟିମ୍ ସରଜମିନ ତଦନ୍ତ କରିଛି ।

ସୌମ୍ୟରଂଜନଙ୍କ ପରିବାର ଲୋକଙ୍କୁ ନେଇ ଯେତେବେଳେ କ୍ୱାର୍ଟର ଖୋଲାଯାଇଥିଲା, ଘଟଣାସ୍ଥଳର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ, ସେଠି ସୌମ୍ୟରଂଜନ ପୋଡ଼ି ଯିବା ଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳିନଥିଲା ।
କ୍ୱାର୍ଟରରେ ନିଆଁ ଲାଗିବାର ଚିହ୍ନବର୍ଣ୍ଣ ନଥିଲା!
-ଅଘଟଣ ଯୋଗୁଁ ଅଗ୍ନିକାଣ୍ଡ ହେବାର ଦୃଶ୍ୟ ନଥିଲା!
-କୋଠରୀ ଭିତରେ ପ୍ଲାଷ୍ଟିକ୍ ସାମଗ୍ରୀ, ପଲିଥିନ୍ ଓ ଅନେକ କାଗଜପତ୍ରରେ ନିଆଁ ଲାଗିନଥିଲା!

ଏପଟେ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି ସୌମ୍ୟରଂଜନଙ୍କ ପରିବାର ଲୋକ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଡିଏଫଓଙ୍କ ସମେତ ୩ଜଣଙ୍କ ବିରୋଧରେ ଆଇପିସି ଧାରାର ଦଫା ୩୦୨ ହତ୍ୟା, ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ ହୋଇଛି ।

ଘଟଣାସ୍ଥଳରୁ ସୌମ୍ୟରଂଜନଙ୍କ ଲାପଟପ୍, କିଛି ହାତଲେଖା ଚିଠି ଏବଂ ଗୋଟିଏ ଡାଏରୀ ଜବତ କରିଥିବା ପୁଲିସ୍ ସୂଚନା ଦେଇଛି । ଆଉ ଏହାରି ଭିତରେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କଲ୍ ଡିଟେଲ ରିପୋର୍ଟ ସାମ୍ନାକୁ ଆସିଲେ ଘଟଣା ଉପରୁ ପରଦା ହଟିବ ବୋଲି କହିଛନ୍ତି ଆଇନଜୀବୀ ।

ବଡ଼ କଥା ହେଉଛି, ସେହି ଘରର ଚାବି, ଡିଏଫ୍ଓଙ୍କ ପାଖରେ ଥିବା କୁହାଯାଉଛି । ତେଣୁ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା ବାହାରକୁ ଯେତେ ସହଜ ଦେଖା ଯାଉଛି ତାହା ସେତେ ସହଜ ନୁହେଁ । ବରଂ ପୁରା ଘଟଣାରେ ଭରି ରହିଛି ଅନେକ ରହସ୍ୟ ଏବଂ ଏକାଧିକ ରହସ୍ୟମୟ ଚରିତ୍ର । ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି
– ମର୍ଡର ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ପୁଲିସ୍ ଜେରା କରିନି କାହିଁକି?
– ଯେଉଁ ଘରକୁ ଘଟଣା ସ୍ଥଳ ବୋଲି କୁହାଯାଉଛି, ସେ ଘରକୁ କାହିଁକି ସିଲ୍ କରିନଥିଲା ପୁଲିସ୍?
– ଯଦି ଡିଏଫଓଙ୍କ ପାଖରେ ଘରର ଚାବି ଥିଲା, ତାଙ୍କ ପାଖକୁ ଗଲା କେମିତି?
– ଘଟଣାସ୍ଥଳରୁ ନିଆଁର ଚିହ୍ନବର୍ଣ୍ଣ କେମିତି ପାଇଲାନି ସାଇନଟିଫିକ୍ ଟିମ୍?