ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦିନ ଗଡୁଛି, ରହସ୍ୟ ବଢୁଛି । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର ।

208

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସ ଟିମ୍ ଉଭୟ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଗାଁରେ ପହଁଚି ଜେରା କରିଛନ୍ତି । ଏପରିକି ବିଦ୍ୟାଭାରତୀଙ୍କୁ ଦୀର୍ଘ ୪ଘଂଟା ଜେରା କରାଯାଇଥିବା ଜଣାପଡିଛି । ସେପଟେ ପୋଲିସକୁ ସହାୟତା କରିବାକୁ କ୍ରାଉମବ୍ରାଂଚର ଏକ ୩ ଜଣିଆ ଟିମ୍ ବି ପାରଳାଖେମୁଣ୍ଡିରେ ପହଁଚିଛନ୍ତି । ହେଲେ, ହତ୍ୟା ଅଭିଯୋଗ ଥିବା ଡିଏଫଓଙ୍କର ମିଳୁନି ପତା ।

ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ଡିଏଫଓ । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଏହି ଅଧିକାରୀଙ୍କ ବିରୋଧରେ ହତ୍ୟା ଭଳି ସଂଗିନ ଦଫା ଲାଗିଛି । କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ ପଚରାଉଚରା କରିନି ପୋଲିସ । ଯାହାକୁ ନେଇ ବଢ଼ିବାର ଲାଗିଛି ସନ୍ଦେହ । ଜାଣିଶୁଣି ତାଙ୍କୁ ହତ୍ୟା କରାଯାଇଛି ବୋଲି ସୌମ୍ୟଙ୍କ ଭାଇ ପୁଣି ଅଭିଯୋଗ କରିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ରୋଷେୟା ମନ୍ମଥ କୁମ୍ଭ । ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ହାତ ଥିବା ଅଭିଯୋଗ କରି ଆସୁଛନ୍ତି ମୃତ ଏସିଏଫଙ୍କ ପରିବାର ଲୋକ । ହେଲେ, ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ମଥ ।

ସେହିପରି ଆମ୍ବୁଲାନ୍ସକୁ ଅଟକାଇବାକୁ ନେଇ ଗୁରାଣ୍ଡି ଓଆଇସି ମମତା ରାଣୀ ପଣ୍ଡାଙ୍କ ଉପରକୁ ଆଙ୍ଗୁଳି ଉଠୁଛି । କାହିଁକି ଆମ୍ବୁଲାନ୍ସକୁ ଅଟକାଇଥିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ଲୋକ ।

ସେପଟେ ସ୍ୱାମୀଙ୍କର ଅନ୍ୟ ଝିଅମାନଙ୍କ ସହ ସମ୍ପର୍କ ଥିବା ନେଇ ବିଦ୍ୟାଭାରତୀ ଅଡିଓ ଦେବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମାଆ । ସୌମ୍ୟଙ୍କ ମୃତ୍ୟୁକୁ ନେଇ ସମସ୍ତ ପକ୍ଷଙ୍କୁ ଜେରା କରାଯାଇଥିଲେ ବି ଡିଏଫଓଙ୍କୁ ଜେରା କରାନଯିବା ସମସ୍ତଙ୍କୁ ସନ୍ଦେହରେ ପକାଇଛି ।