ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନ୍ ଚିଟ୍ ଦେଲେ ଗଜପତି ଏସପି : କହିଲେ, ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ନଥିଲା ସଂପର୍କ

216

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଚାଲିଥିବା ତଦନ୍ତରୁ ବଡ ଦିଗଟିଏ ସାମ୍ନାକୁ ଆସିଛି । ଗଜପତି ଏସପି ତପନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୃତ ଏସସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କର କୌଣସି ସଂପର୍କ ନଥିଲା । ଏକପ୍ରକାରେ ଏହି ମାମଲାରେ ଡିଏଫଓଙ୍କୁ କ୍ଲିନ ଚିଟ ଦେଇଛି ଜିଲ୍ଲା ପୁଲିସ । ମୋଟ ୬ ଜଣଙ୍କୁ ପଚରା ଉଚରା କରିବା ପରେ ଏହି ନିଷ୍କର୍ସରେ ପୁଲିସ ପହଁଚିଥିବା ଏସପି କହିଛନ୍ତି ।

ସୂଚନା ଅନୁସାରେ, ଉଭୟ ବିଦ୍ୟାଭାରତୀ ଓ ଡିଏଫଓଙ୍କ କଲ ରେକର୍ଡସରୁ ଏଭଳି କୌଣସି ସୂଚନା ମିଳିନଥିଲା, ଯାହା ଉଭୟଙ୍କ ସଂପର୍କକୁ ପ୍ରମାଣିତ କରିପାରିଥାନ୍ତା । ପାଖ ପଡୋଶୀଙ୍କୁ ପଚରାଉଚରା କରିବା ବେଳେ ପୁଲିସ ଜାଣିବାକୁ ପାଇଥିଲା, ଡିଏଫଓ କେବେ ମଧ୍ୟ ବିଦ୍ୟା ଭାରତୀଙ୍କ ଘରକୁ ଯାଇନଥିଲେ । ଆମ୍ବୁଲାନ୍ସ ଅଟକିବା ନେଇ ଗଣମାଧ୍ୟମରେ ଚାଲିଥିବା ଖବର ସଂପର୍କରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ଏସପି । କହିଛନ୍ତି, ନିଜ ଘରୁ କିଛି ସାମଗ୍ରୀ ଆଣିବାକୁ ବିଦ୍ୟାଭାରତୀ ଯାଇଥିଲେ, ଯେଉଁଥିପାଇଁ ଆମ୍ବୁଲାନ୍ସ ୧୫ ମିନିଟ ଅଟକିଥିଲା । ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଓ ବିଦ୍ୟାଭାରତୀ ପରସ୍ପରକୁ ପୂର୍ବରୁ ଜାଣିଥିଲେ । ତେଣୁ ଅଘଟଣର ଖବର ପାଇ ବିଦ୍ୟାଭାରତୀଙ୍କୁ ସାହାଯ୍ୟ କରିବାକୁ ପହଂଚିଥିଲେ ମମତା ପଣ୍ଡା ।

ଗଜପତି ପୁଲିସ ଏପରି ସୂଚନା ଦେଇ ଇଙ୍ଗିତ ଦେଇଛି, ଯେ ଏସିଏଫଙ୍କ ମୃତ୍ୟୁ ଘଟଣାରେ ଏମାନଙ୍କର ହୁଏତ ସିଧାସଳଖ ସଂପର୍କ ନାହିଁ । ସେପଟେ ଏସିଏଫ ସୌମ୍ୟରଞ୍ଜନଙ୍କୁ ମୃତ୍ୟୁ ମାମଲାରେ ଗତକାଲି ଡିଏଫଓଙ୍କୁ ଜେରା କରାଯାଇଥିଲା । ପୋଲିସ ଓ କ୍ରାଇମବ୍ରାଂଚ ଡିଏଫଓଙ୍କୁ ପ୍ରାୟ ସାଢ଼େ ତିନି ଘଂଟା ଧରି ତାଙ୍କ କାର୍ଯ୍ୟାଳୟରେ ଜେରା କରିଛନ୍ତି । ସେହିପରି ଆମ୍ବୁଲାନ୍ସ କାହିଁକି ଓ କେତେ ସମୟ ଅଟକିଥିଲା ସେ ନେଇ ମଧ୍ୟ ଡ୍ରାଇଭରକୁ ପଚରା ଉଚରା କରିଛି ଗଂଜାମ ପୁଲିସ ।

ଡିଏଫଓଙ୍କୁ ଗଜପତି ଏସପି କ୍ଲିନ୍ ଚିଟ୍ ଦେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୌମ୍ୟରଂଜନଙ୍କ ଭାଇ । ସେ କହିଛନ୍ତି, ଏ ନେଇ ଅଧିକ ତଦନ୍ତ କରାଗଲେ ସତ ପଦାକୁ ଆସିବ । ସେହିପରି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରିଛି ଗଜପତି ପୁଲିସ ଓ କ୍ରାଇମବ୍ରାଂଚ ଟିମ୍ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଯାହା କହିବା କଥା ତଦନ୍ତ କରୁଥିବା ଅଧିକାରୀ କହିସାରିଛନ୍ତି । ଯେହେତୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି, ତେଣୁ ଏ ସଂପର୍କରେ କିଛି କହିବାକୁ ସଫା ସଫା ମନା କରିଦେଇଛନ୍ତି ମମତା ପଣ୍ଡା ।