କନକ ବ୍ୟୁରୋ: ଚିନ୍ତା ବଢାଉଛି ଅନୁଗୁଳର ବାୟୁ ପ୍ରଦୂଷଣ । ଲଗାତର ଦ୍ୱିତୀୟ ଦିନ ପାଇଁ ଅନୁଗୁଳର ସ୍ଥିତି ସାଂଘାତିକ ସ୍ଥିତିରେ ରହିଛି । ସୋମବାର ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୨ ରହିଥିଲା । ଗତକାଲି ଏହା ୩୫୭ରେ ପହଂଚିଛି । ଅନୁଗୁଳ ଉପରକୁ କେବଳ ନୋଏଡାର ପ୍ରଦୂଷଣ ୩୫୯ ରହିଛି । କଟକ ଓ ଭୁବନେଶ୍ୱର ବି ଜଟିଳ ସ୍ଥିତିରେ ରହିଛି । ବାଲେଶ୍ୱର ଓ ବାରିପଦା ସ୍ଥିତି ବି ଗମ୍ଭୀର ହୋଇପଡ଼ିଛି । ବାୟୂମଣ୍ଡଳରେ ଘୂରି ବୁଲୁଥିବା ଧୂଳିକଣା ଏବେ ଲୋକଙ୍କ ଜୀବନ ନେବାକୁ ବସିଲାଣି । ସହରବାସୀ ଶ୍ୱାସ ରୋଗରେ ପଡ଼ିବା ସହ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଲାଣି । ଏଠି ପ୍ରଶ୍ନ ଉଠୁଛି, ଅନୁଗୁଳ ସହରର ବାୟୁ ମାନ ଏବେ ଖରାପ କାହିଁକି?

Advertisment

ଚିନ୍ତା ବଢାଇଲା ଅନୁଗୁଳ ପ୍ରଦୂଷଣ:
- ଶିଳ୍ପାନୁଷ୍ଠାନ, ଖଣି ଖନନ, ଅତ୍ୟଧିକ ଯାନବାହାନ ଚଳାଚଳ
- ପାଉଁଶ ପରିବହନ, କୋଇଲା ଚାଲାଣ, କୋଇଲା ଦହନ ପ୍ରମୁଖ କାରଣ
- କିଛି କୋଇଲା ମାଫିଆ କୋଇଲା ଚୋରି କରି ପୋଡି ବିକ୍ରି କରୁଛନ୍ତି
- କୋଇଲା ପୋଡିବା ବେଳେ ନିର୍ଗତ ଧୂଆଁ ବାୟୁ ମଣ୍ଡଳରେ ମିଶୁଛି
- କୋଇଲା ପରିବହନ ସମୟରେ କୋଇଲା ବୋଝେଇ ଗାଡ଼ି ଘୋଡା ଯାଉନାହିଁ
- ପାଲ ଘୋଡାଯାଉନଥିବାରୁ ଗୁଣ୍ଡ ଉଡି ବାୟୁରେ ମିଶୁଛି
- ଅନୁଗୁଳ ଜିଲ୍ଲାରେ ଏକାଧିକ ବୃହତ୍ ଇସ୍ପାତ କାରଖାନା ରହିଛି
- ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଶକ୍ତି ଉତ୍ପାଦନ ପ୍ରକଳ୍ପ ମଧ୍ୟ ରହିଛି
- କାରଖାନାକୁ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି
- କାରଖାନାରୁ ବାହାରୁଥିବା ପାଉଁଶ ପରିବହନ ବାୟୁର ମାନକୁ ଖରାପ ସ୍ତରକୁ ନେଉଛି