ସଫା ହେଲେ ୪ ସଇତାନ୍ ! ଯେଉଁ ରାଜପଥରେ ଗଣଦୁଷ୍କର୍ମର ଶିକାର ହୋଇ ଯାଇଥିଲା ମହିଳା ଡାକ୍ତରଙ୍କ ଜୀବନ , ସେହି ସ୍ଥାନରେ ମଲେ ୪ ଦୁଷ୍କର୍ମକାରୀ

14,138

୪ ସଇତାନଙ୍କୁ ସଫା କଲା ହାଇଦ୍ରାବାଦ୍ ପୋଲିସ୍ । ହାଇଦ୍ରାବାଦ୍ ଡାକ୍ତରାଣୀ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରିଗଡାଇଲା ପୋଲିସ୍ । ନଭେମ୍ବର ୨୭ ତାରିଖ ରାତିରେ ହାଇୱେ ଏନଏଚ୍ ୪୪ ରେ ଯେଉଁ ସ୍ଥାନରେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ହେଲା ଉକ୍ତ ସ୍ଥାନରେ ହିଁ ତେଲେଙ୍ଗାନା ପୋଲିସ୍ ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କଲା । ଆଜି ସକାଳେ ଉକ୍ତ ଘଟଣା ପୁନରାବୃତ୍ତି କରିବା ପାଇଁ ପୋଲିସ୍ ଯେତେବେଳେ ଅଭିଯୁକ୍ତଙ୍କୁ ଉକ୍ତ ସ୍ଥାନକୁ ନେଇ ଯାଇଥିଲା ସେମାନେ ପୋଲିସ୍ ଆଖିରେ ଧୂଳି ଦେଇ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ପୋଲିସ୍ ବାଧ୍ୟ ହୋଇ ୪ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହା ପୂର୍ବରୁ ପୋଲିସ୍ ଜାଞ୍ଚ୍ ସମୟରେ ଅନେକ ଖୁଲାସା କରିଥିଲା । ଯେଉଁଥିରେ ଦୁଷ୍କର୍ମକାରୀଙ୍କ ଭିଡିଓ ଏବଂ ପୁରା କାହାଣୀ ସାମ୍ନାକୁ ଆସିଥିଲା । ୪ ଦୁଷ୍କର୍ମକାରୀ ପିଲାବେଳର ସାଙ୍ଗ ଥିଲେ । ଅଭିଯୁକ୍ତ ମହମ୍ମଦ ଆରିଫ୍ ଟ୍ରକ୍ ଡ୍ରାଇଭର୍୍ ଥିବାବେଳେ ଅନ୍ୟ ୩ ଟ୍ରକ୍ ସଫେଇ କାମ କରୁଥିଲେ । ନଭେମ୍ବର ୨୭ ରାତିରେ ମହିଳା ଡାକ୍ତରଙ୍କୁ ନାଟକୀୟ ଅନ୍ଦାଜରେ ସାହାଯ୍ୟ କରିବା ପାଇଁ ହାତ ବଢାଇ ସଇତାନ ପାଲଟିଥିଲେ ଏହିି ୪ ଦୁଷ୍କର୍ମକାରୀ ।

ପ୍ରଥମେ ଅପହରଣ ତାପରେ ଶୁନଶାନ୍ ସ୍ଥାନକୁ ନେଇ ପୀଡିତାଙ୍କୁ ଜବରଦସ୍ତି ମଦ ପିଆଇ ଜଣଙ୍କ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଖାଲିି ଏତିକିରେ ଶାନ୍ତି ହୋଇନଥିଲେ ଏହି ୪ ସଇତାନ । ଜଣେ ଅଭିଯୁକ୍ତ ପୀଡିତାଙ୍କ ମୁହଁ ଏବଂ ନାକକୁ ଦବାଇ ତାଙ୍କୁ ଜୀବନରେ ମାରିଦେବା ସହ ୨୭ କି.ମି ଦୂରକୁ ନେଇ ପେଟ୍ରୋଲ୍ ପକାଇ ପୀଡିତାଙ୍କ ଶବକୁ ଜାଳିଥିଲେ । ଶବ ପାଖରେ ହିଁ ପୀଡିତାଙ୍କ ଫୋନ୍ , ଘଡି ଏବଂ ଅନ୍ୟ ଜିନିଷ ଲୁଚାଇ ଦେଇଥିଲେ ।