ଯିଏ କରିଥିଲା ଅଭିଯୋଗ , ସେ ହିଁ ବାହାରିଲା ଅଭିଯୁକ୍ତ : ଅଭିଯୁକ୍ତକୁ ଖୋଜୁ ଖୋଜୁ ଅଭିଯୋଗକାରୀର ଘରେ ପହଞ୍ଚିଲା ସନ୍ଧାନୀ କୁକୁର

1,887

କନକ ବ୍ୟୁରୋ : ଅଭିଯୁକ୍ତକୁ ଧରାଇ ଦେଲା ସନ୍ଧାନୀ କୁକୁର । ୩୦ଲକ୍ଷ ଟଙ୍କା ଲୁଟର ଛାନଭିନ କରୁ କରୁ ପୂରା ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଲୁଟର ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଘରେ ହିଁ ପହଂଚିଥିଲା ସନ୍ଧାନୀ କୁକୁର । କିଭଳି ପୋଲିସର ସନ୍ଧାନୀ କୁକୁର ଅଭିଯୁକ୍ତକୁ ଖୋଜି ଖୋଜି ସିଧା ଅଭିଯୋଗକାରୀଙ୍କ ଘରେ ପହଂଚି ଯାଇଛି, ତାହା ଦେଖିବାକୁ ମିଳିଛି । ଲୁଟ୍ ହୋଇଥିବା ସମସ୍ତ ଟଙ୍କା ଓ ସୁନା ଅଭିଯୋଗକାରୀଙ୍କ ଘରୁ ହିଁ ମିଳିଛି ।

ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଂଚଳରେ । ନିଜ ଘରୁ ଚୋରୀ ହୋଇଥିବା ଅଭିଯୋଗକାରୀ ଘରୁ ମିଳିଛି ଟଙ୍କା ସୁନା ଓ ଗହଣା । ଅଭିଯୋଗ କରିଥିବା ବ୍ୟକ୍ତିିଙ୍କ ଘରୁ ପୋଲିସ ଟଙ୍କା ସୁନା ଗହଣା ଜବତ କରିଛି । ଗତ ୩୧ ତାରିଖ ଦିନ ରାୟଗଡ଼ା ରୟତ କଲୋନୀ ୬ନମ୍ବର ଲେନରେ ରହୁଥିବା ବି. ବିଶ୍ୱନାଥ ଗଣପତି ଶର୍ମା ତାଙ୍କ ଘରୁ ୩୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ମାଆ ଓ ସେ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ କେହି ତାଙ୍କ ଘରେ ପଶି ଚୋରୀ କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ ।

ତେବେ ତଦନ୍ତ ବେଳେ ପୋଲିସର ଅଭିଯୋଗକାରୀ ବିଶ୍ୱନାଥ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ପୋଲିସ ଆନ୍ଧ୍ର ପ୍ରଦେଶର ଦେଶପାଲକୋଣ୍ଡା ଯାଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୋଗକାରୀ ଉପରେ ସନ୍ଦେହ ହେବାରୁ ତାକୁ ଜେରା କରିଥିଲା । ଆଉ ପୋଲିସ ପାହାର ପରେ ସେ ସବୁ ସତ ମାନି ଯାଇଥିଲା । ବିଶ୍ୱନାଥ ନିଜ ଘରେ ଲୁଚାଇ ରଖିଥିବା ୨୪ ଲକ୍ଷ ଟଙ୍କା ସୁନା ଗହଣାକୁ ଜବତ କରିଛି ପୋଲିସ । ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।