କନକ ବ୍ୟୁରୋ : ବ୍ୟାଙ୍କରୁ ଚୋରି ସୁନାରେ କୋଠା ତିଆରି କରୁଥିଲା ଅଭିଯୁକ୍ତ । କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କ ଲକରରୁ ସୁନା ଚୋରି କରିବା ପରେ ୪ଶହ ଗ୍ରାମ ସୁନା ବିକି ସେହି ଲକ୍ଷ୍ମୀପୁରରେ ଜାଗା କିଣିଛି ଅଭିଯୁକ୍ତ ଶେଖର କୁଳଦୀପ । ଆଉ ଘରର ମୂଳଦୁଆ ପକାଇଥିବା ବେଳେ ତାକୁ ସିଲ୍ କରିଛି ପୁଲିସ । ସେପଟେ ଆଜି ପୁଲିସ ଉପସ୍ଥିତିରେ ବ୍ୟାଙ୍କ ଲୁଟର ଡେମୋ ଦେଖାଇଛି ଅଭିଯୁକ୍ତ ।
କିଭଳି ହୋଇଥିଲା ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କ ଲୁଟ୍ ? ପୁଲିସ ସାମ୍ନାରେ ଡେମୋ ଦେଖାଇଲା ଅଭିଯୁକ୍ତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ୟାଙ୍କ ଲୁଟ ଘଟଣାରେ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ । ଅସ୍ଥାୟୀ କର୍ମଚାରୀ ଶେଖର କୁଳଦୀପ ଧରାପଡିବା ପରେ ପୁଲିସ ଆଗରେ ସତ ମାନିଯାଇଛି । ଏଥିସହ ବ୍ୟାଙ୍କରୁ କେମିତି ସୁନା ଲୁଟ କରିଥିଲା, କେଉଁଠୁ ଲକରର ଚାବି ଆଣିଥିଲା, ତାହା ଡେମୋ କରି ଦେଖାଇଛି । ପୁଲିସ ତା ପାଖରୁ ୧କିଲୋଗ୍ରାମ ୧୧୯ ଗ୍ରାମ ସୁନା ସହ ନଗଦ ୨ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି । ତେବେ ଅଭିଯୁକ୍ତ ୪ଶହ ଗ୍ରାମ ସୁନା ବିକ୍ରି କରିଦେଇଥିବା ପୁଲିସ ସୂଚନା ଦେଇଛି ।
କେମିତି ଧରାପଡିଲା ଅଭିଯୁକ୍ତ ? ଶେଖରର ଘର ସ୍ୱପ୍ନ କାଳ ସାଜିଲା । ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କରୁ ଲୁଟ ଘଟଣାର କିଛି ଦିନ ପରେ ନିର୍ମାଣଧୀନ ଘର ଶେଖର କୁଳଦୀପକୁ ଧରା ପକାଇ ଦେଇଥିଲା । ଚାକିରୀ ହରାଇଥିବା ଜଣେ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ହଠାତ୍ ହାତ ଖୋଲା ଖର୍ଚ୍ଚ କରିବା ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲା । ଆଉ ଖୋଳତାଡ କରି ପୁଲିସ ଶେଖରକୁ କାବୁ କରିଥିଲା । ବ୍ୟାଙ୍କରୁ ଦେଢ କିଲୋଗ୍ରାମ ସୁନା ଲୁଟ୍ କରିବା ପରେ ୪ଶହ ଗ୍ରାମ ସୁନା ବିକ୍ରି କରି ନିଜ ପାଇଁ ନୂଆ ଘର ତିଆରି କରୁଥିଲା ଅଭିଯୁକ୍ତ ।
ନଭେମ୍ବର ୩୦ ତାରିଖରେ ବ୍ୟାଙ୍କର ଶୌଚାଳୟରେ ଲୁଚି ରହି ବ୍ୟାଙ୍କ ବନ୍ଦ ହେବା ପରେ ମ୍ୟାନେଜରଙ୍କ ଚାମ୍ବରରୁ ଲକରର ଚାବି ନେଇ ଲୁଟ କରିଥିଲା ଅଭିଯୁକ୍ତ । ଏହାପରେ ରାତି ତମାମ ଶୌଚାଳୟରେ ରହି ସକାଳେ ବ୍ୟାଙ୍କ ଗହଳି ହେବା ପରେ ଖସିଯାଇଥିଲା । ଭାବିନଥିଲା ତା ଘର ସ୍ୱପ୍ନ ହିଁ ତାକୁ ପୁଲିସ ହାତରେ ଧରାପକାଇଦେବ ।