କନକ ବ୍ୟୁରୋ : ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗାଁର ଜଗଦୀଶ ଚନ୍ଦ୍ର ସିଂ । ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲି ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ହେଲେ ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଣ୍ଟରୁ ୮ ଲକ୍ଷରୁ ଅଧିକ ଟଙ୍କା ଉଠାଇ ଫେରାର ହୋଇଯାଇଥିଲେ ।

Advertisment

ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିବା ପରେ ଜାମାକାରୀମାନେ ଆକାଉଣ୍ଟ ଚେକ କରିବାରୁ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଆମପାଣି ଷ୍ଟେଟବ୍ୟାଙ୍କ ପରିଚାଳକଙ୍କୁ ଅଭିଯୋଗ କରିଥିଲେ ଜମାକାରୀମାନେ । ବ୍ୟାଙ୍କ କର୍ତ୍ତୃପକ୍ଷ ଖୋଳତାଡ କରିବା ପରେ ଜଣାପଡିଥିଲା ଜଗଦୀଶ ସିଂ ଟଙ୍କା ହଡପ କରିଛି । ପରେ ବ୍ୟାଙ୍କ ମ୍ୟାନେଜର ଗତ ୮ ତାରିଖରେ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ଜଗଦୀଶ ସିଂଙ୍କ ମୋବାଇଲ ଟ୍ରାକ କରି ବଲାଙ୍ଗୀର ଜିଲ୍ଲା ପାଟଣାଗଡରୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ନଗଦ ୧ ଲକ୍ଷ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି ।