ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା : ମଶାଣିରେ ଶବକୁ ପୋଡ଼ି ଦେଲେ ଅଭିଯୁକ୍ତ

88

କନକ ବ୍ୟୁରୋ : ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ତାର ଘର ସମ୍ମୁଖରେ ହତ୍ୟା କରିଥିଲେ।

ସେଠାରେ ହତ୍ୟା କରିବା ପରେ ଗ୍ରାମଠାରୁ ପ୍ରାୟ ୪ ଶହ ମିଟର ଦୂର ଏକ ମଶାଣିରେ ନେଇ ପୋଡ଼ି ଦେଇଥିଲେ । ଗତକାଲି ସନ୍ଧ୍ୟାରେ ପରିବାରର ଲୋକ ଭୟଭୀତ ଅବସ୍ଥାରେ ପଡ଼ିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।

ଏହାପରେ ପୁଲିସ ପକ୍ଷରୁ ଏହି ଗ୍ରାମରେ ଚଢାଉ କରାଯାଇ କିଛି ଦାଗୀ ସନ୍ଦେହୀଙ୍କୁ ଆଣି ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି । ଏ ନେଇ ପଡ଼ିଆ ଥାନାରେ କେସ୍ ନଂ ୪୩ /୨୦ ଧାରା ୩୦୨/୨୦୧/୩୪ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି।

ପ୍ରାଥମିକ ତଦନ୍ତରେ ଗ୍ରାମର କିଛି ଲୋକ ମୃତ ବାଗା ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିବା ସହ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ଯୋଜନାବଦ୍ଧ ଭାବେ କିଛି ଲୋକ ଏହି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି।