ପରୀ ମୃତ୍ୟୁରୁ ହଟିବ ପରଦା? ଅପରାଧୀ ଚିହ୍ନଟ, ଆଜି ସଂଧ୍ୟା ସୁଦ୍ଧା ହୋଇପାରେ ଗିରଫ: ଏସଆଇଟି ପକ୍ଷରୁ ସୂଚନା

ସେପଟେ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

3,724

କନକ ବ୍ୟୁରୋ: ପରୀ ମୃତ୍ୟୁ ଉପରୁ ହଟିବ ପରଦା । ପରୀ ମୃତ୍ୟୁ ମାମଲାରେ ଅପରାଧୀ ଚିହ୍ନଟ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଗିରଫ ହେବାର ସମ୍ଭାବନା ଥିବା ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି । ପରୀ ମୃତ୍ୟୁ ମାମଲାରେ ଏସଆଇଟି ଖୋଳତାଡ଼ କରୁଛି । ଗତକାଲି ଯଦୁପୁର ଗାଁରେ ପହଂଚି ୩ ଜଣଙ୍କୁ ଉଠାଇ ନେଇଥିଲା ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଥିଲା ଏସ୍ଆଇଟି ଟିମ୍ ।

ଆଜି ସରୋଜର ମା ଓ ଭଉଣୀଙ୍କୁ ଛାଡିଦେଇଛନ୍ତି । ଏହା ସହ ଗତକାଲି ପରୀ ମୃତ୍ୟୁର ତଦନ୍ତ ନେଇ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାର ମାମଲା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୁପାରିସ କରିଥିଲେ । ଜୁଲାଇ ୧୪ ତାରିଖରେ ନୟାଗଡ ଯଦୁପୁର ଗାଁରୁ ପରୀ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ରେ ଘର ପଛପଟ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ।

ସେପଟେ ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁୁରକୁ ବିଜେପିର ଏହି ପଦଯାତ୍ରା ବାହାରିଛି । ଏଇଥି ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ । ଭୁବନେଶ୍ୱରରେ ପହଁଚିବା ପରେ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ । ଆଜି ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ବାହାରି ଯାଆଁଳା ପହଚିଂବ । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକାଳି, ୨୩ରେ ପିଚୁକୁଳିରୁ ଇଟାମାଟି, ୨୪ରେ ଇଟାମାଟିରୁ ଯଦୁପୁର ପହଚିଂବ ପଦଯାତ୍ରା । ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।