ଡେମୋ ନାଁରେ ଡ୍ରାମା କରି ଦେଲା ଅଭିଯୁକ୍ତ ଗୋପାଳ ଦାସ। ପ୍ରକୃତ ହତ୍ୟାକାଣ୍ଡ ଘଟଣା ସହ ମେଳ ଖାଉନି ସିନ୍ ରିକ୍ରିଏସନର ଏକାଧିକ ଦୃଶ୍ୟ।

204

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ସହ ସମ୍ପୃକ୍ତ ଥିବା ଦୁଇଟି ଚିତ୍ର । ଗୋଟିଏ ଜାନୁୟାରୀ ୨୯ ତାରିଖର ଚିତ୍ର । ଆଉ ଗୋଟିଏ ଫେବୃୟାରୀ ୭ ତାରିଖର । ଅସଲି ଗୁଳିକାଣ୍ଡ ଏବଂ ନକଲି ପୁନରାବୃତ୍ତି ବା ରିକ୍ରିଏସନ୍, ଭିତରେ ଥିବା ଫରକ୍, ଜଳଜଳ ହୋଇ ଦେଖାଯାଉଛି । ଯେଉଁ ଦିନ ମନ୍ତ୍ରୀଙ୍କ ଉପରେ ଗୁଳିମାରିଥିଲା ଅଭିଯୁକ୍ତ, ଫାଏରିଂ କରିସାରିବା ପରେ ତୁରନ୍ତ ପଛକୁ ଦୌଡ଼ିଥିଲା । ଅଳ୍ପ କିଛି ଦୂର ଧାଇଁଯିବା ପରେ ପଛକୁ ଦେଖିଥିଲା । କିନ୍ତୁ ଘଟଣାର ଡେମୋ ବେଳେ କେମିତି ଡ୍ରାମା କରିଛି ଗୋପାଳ । ସିନ୍-ରିକ୍ରିଏସନ୍ ସମୟରେ ଗୁଳି ମାରିବା ପରେ ବନ୍ଧୁକ ଉପରକୁ ଉଠାଇ ଫିଲ୍ମ ଷ୍ଟାଇଲରେ ଏକ ପ୍ରକାର ପୋଜ୍ ଦେଉଛି ଅଭିଯୁକ୍ତ ।

କ୍ରାଇମ୍ବ୍ରାଞ୍ଚ ଦ୍ୱାରା କରାଯାଇଥିବା ସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତ ଗୋପାଳ, ଆବଶ୍ୟକତା ଠାରୁ ଅଧିକ ଆକ୍ସନ କରୁଥିବା ସ୍ପଷ୍ଟ ବାରି ହେଉଛି । ବଡ଼ କଥା ହେଉଛି- ଅଭିଯୁକ୍ତ ନିଜେ ଜଣେ ପୋଲିସ୍ ଅଧିକାରୀ ହୋଇଥିବାରୁ, ତଦନ୍ତକୁ କିପରି ବାଟବଣା କରାଯାଏ, ସେ କଥା ହୁଏତ ଗୋପାଳକୁ ବେଶ ଜଣା । ପ୍ରଶ୍ନ ହେଉଛି- ସତକୁ ଲୁଚାଇବା ପାଇଁ ତଦନ୍ତକୁ ଗୋଲ ଗୋଲ ବୁଲାଉଛି କି ଅଭିଯୁକ୍ତ ଗୋପାଳ? ଏପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ମର୍ଡର ପଛର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ । ଆଜି କ୍ରାଇମସ୍ପଟରେ ପହଞ୍ଚି ତଦନ୍ତର ଅନୁଧ୍ୟାନ କରିଛନ୍ତି ରାଜ୍ୟ ପୋଲିସ ମୁଖିଆ ସୁନିଲ ବଂଶଲ ଏବଂ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ୍ ଜେପି ଦାସ । ଜଷ୍ଟିସ୍ ଦାସ କହିଛନ୍ତି- ତଦନ୍ତ ଠିକବାଟରେ ଚାଲିଛି । ସିନ-ରିକ୍ରିଏସନ୍ ତଦନ୍ତରେ ସହଯୋଗ କରିବ ବୋଲି ସେ କହିଛନ୍ତି । ତେବେ ମାନସିକ ରିପୋର୍ଟ ଆସିଲେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଷ୍ଟିସ୍ ଜେପି ଦାସ ।

ଏସବୁ ଭିତରେ ପୁଣି ଥରେ ଅଭିଯୁକ୍ତ ଗୋପାଳକୁ ୫ଦିନିଆରେ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତୃତୀୟ ପର୍ଯ୍ୟାୟରେ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଜେଏମଏଫସି କୋର୍ଟ । ଏହି ରିମାଣ୍ଡ ଅବଧି ଭିତରେ ଗୋପଳ ମୁହଁରୁ ସତ ଓଗାଳିବା ପାଇଁ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ତଦନ୍ତ କରିଛି କ୍ରାଇମ୍ବ୍ରାଞ୍ଚ । ହେଲେ ଏଥିରୁ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ ସକ୍ଷମ ହୋଇନି କ୍ରାଇମବ୍ରାଞ୍ଚ ।