ଜାମିନକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ନିର୍ଦ୍ଧାରିତ ସମୟରେ ତଦନ୍ତ ନସାରିଲେ ଅଭିଯୁକ୍ତଙ୍କୁ ମିଳିବ ‘ଡିଫଲ୍ଟ ବେଲ’

ବେଆଇନ ଅଟକ ବିରୋଧରେ ସୁରକ୍ଷାକୁ ସୁନିଶ୍ଚିତ କରୁଛି ସମ୍ବିଧାନର ଧାରା ୨୧

263

କନକ ବ୍ୟୁରୋ: ଅଭିଯୁକ୍ତଙ୍କୁ ଜାମିନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ । କୌଣସି ମାମଲାରେ ତଦନ୍ତ ନିର୍ଦ୍ଧାରିତ ସମୟରେ ଶେଷ ନହେଲେ ଅଭିଯୁକ୍ତଙ୍କୁ ମିଳିବ ‘ଡିଫଲ୍ଟ ବେଲ’ । ଭାରତୀୟ ସମ୍ବିଧାନର ଧାରା ୨୧ରେ ବେଆଇନ ଅଟକ ବିରୋଧରେ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ତେଣୁ ଜଣେ ଅଭିଯୁକ୍ତର ‘ଡିଫଲ୍ଟ ବେଲ’ ପାଇବାର ଅଧିକାର ଅଛି ବୋଲି କହିଛନ୍ତି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏମଏମ ଶାନ୍ତାନାଗୌଡାର ଓ ଜଷ୍ଟିସ ବୀନିତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ତଦନ୍ତକାରୀ ସଂସ୍ଥା ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ଶେଷ କରିନପାରନ୍ତି ତେବେ ମାମଲାର ମେରିଟ ଥାଉ ବା ନଥାଉ ଅଭିଯୁକ୍ତଙ୍କୁ ହାଜତରେ ରଖିହେବ ନାହିଁ । ଏବଂ ତାଙ୍କୁ ‘ଡିଫଲ୍ଟ ବେଲ’ ମିଳିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସିଆରପିସିର ଧାରା ୧୬୭- ଦୁଇ ଅନୁଯାୟୀ ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ ଆପରାଧ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ପ୍ରମାଣ ଯୋଗାଡ କରିବ ।

ମୃତ୍ୟୁଦଣ୍ଡ, ଆଜୀବନ କାରାଦଣ୍ଡ କିମ୍ବା ୧୦ ବର୍ଷ ଜେଲ ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ସର୍ବାଧିକ ୯୦ ଦିନ ହାଜତରେ ରଖିହେବ । ସେହିପରି ଅନ୍ୟ ଅପରାଧ ମାମଲାରେ ଏହି ଅବଧି ୬୦ ଦିନ ରହିଛି । କେବଳ ଏନଡିପିଏସ ଆକ୍ଟରେ ଗିରଫ ହୋଇଥିଲେ ଏହି ଅବଧିକୁ ୧୮୦ଦିନ ଯାଏଁ ବୃଦ୍ଧି କରା ଯାଇପାରିବ । ତେଣୁ ଏହି ସମୟ ସୀମାରେ ତଦନ୍ତ ଶେଷ ନକଲେ ଅଭିଯୁକ୍ତ ‘ଡିଫଲ୍ଟ ବେଲ’ ପାଇବାକୁ ହକଦାର ହେବେ ।