କନକ ବ୍ୟୁରୋ: ପୁରୀ ରାଧାଗୋବିନ୍ଦ ଲେନରେ ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କ ହତ୍ୟାକାଣ୍ଡ ଘଟଣାରେ ଟାଉନଥାନା ପୋଲିସକୁ ମିଳିଲା ସଫଳତା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସମୁଦାୟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇଜଣ ଏବେ ବି ଫେରାର ଥିବା ସୂଚନା ଦେଇଛି ପୁଲିସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗିରଫ ହୋଇଥିବା ୯ ଜଣ ମଧ୍ୟରୁ ୭ ଜଣ ନାବାଳକ ରହିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ଗତ ଅଗଷ୍ଟ ୮ ତାରିଖରେ ଘଟିଥିବା ଦିନେଶ ଖୁଣ୍ଟିଆ ହତ୍ୟାକାଣ୍ଡ ଘଟଣାର ପ୍ରତିଶୋଧ ନେବାପାଇଁ ହରିହରଙ୍କୁ ଅଭିଯୁକ୍ତମାନେ ଅତି ନିର୍ମମ ଭାବରେ ହତ୍ୟା କରିଥିବା ପୁଲିସ୍ କହିଛି । ମୃତ ଦିନେଶଙ୍କ ସହଯୋଗୀ ହତ୍ୟାକାଣ୍ଡରେ ସାମିଲ ଅଛି । ଖଜା ବ୍ୟବସାୟକୁ ନେଇ ହୋଇଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ପୁରୀ ଏସପି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ସିଟି ଡିଏସପିଙ୍କ ନେତୃତ୍ୱରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା।  ଶେଷରେ ଏହି ଟିମକୁ ସଫଳତା ମିଳିଛି । ୯ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।