କନକ ବ୍ୟୁରୋ: ଧରାପଡିଲା ଆଇସିୟୁରୁ ଫେରାର ଥିବା ଅଭିଯୁକ୍ତ ଆଲୋକ ସାହୁ । ପିଠାପୁର ଅଞ୍ଚଳରୁ ଅଭିଯୁକ୍ତକୁ ଧରିଲା ପୋଲିସ । ତେବେ ଧରାପଡିବା ପରେ ପୋଲିସ ବିରୋଧରେ ବିଷ ଓଗାଳିଲା ଅଭିଯୁକ୍ତ । ସେ ଆଇସିୟୁରୁ ଫେରାର ହୋଇନି ବରଂ ତାକୁ ପୋଲିସ ପଠାଇ ଦେଇଛି ବୋଲି କହିଛି ଅଭିଯୁକ୍ତ । ଉପରୁ ଚାପ ପଡୁଛି ତେଣୁ ତୁ ପଳା ନହେଲେ ଆମ ଚାକିରି ପଳେଇବ କହି ପୋଲିସ ମତେ ପିଟି ପିଟି ପଳେଇବାକୁ କହିଲା ବୋଲି କହିଛି ଅଭିଯୁକ୍ତ ।

Advertisment

publive-image

ସେପଟେ ଘରକୁ ଯିବାକୁ ପାଖରେ ଟଙ୍କା ନଥିବା ବେଳେ ୫୦ ଟଙ୍କା ଦେଇ ପୋଲିସ ମତେ ପଳେଇବାକୁ କହିଥିବା ଅଭିଯୋଗ ଆଣିଛି ଅଭିଯୁକ୍ତ । ତେବେ ଫିନାଇଲ ପିଇବା ଘଟଣାକୁ ମିଛ ବୋଲି କହି ପୋଲିସ ଉପରକୁ ଠେଲିଛି ଅଭିଯୁକ୍ତ ।

ତେବେ ଗତରାତିରେ ଆଇସିୟୁରୁ ଚମ୍ପଟ ମାରିଥିଲା ଚୋର । ପାଇଖାନା ଯିବା ବାହାନା କରି କଟକ ବଡ ମେଡିକାଲ ସେଣ୍ଟ୍ରାଲ ଆଇସିୟୁରୁ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଥିଲା ଚାଲାକ ଚୋର । ଆଇସିୟୁ ବେଡରେ ହାତକଡି ଝୁଲୁଥିବା ବେଳେ ଚୋର ବେଡ ଉପରେ ନଥିଲା ।

ଗତ ୪ ତାରିଖ ଦିନ ମଦ ଦୋକାନରୁ ଚୋରି ଅଭିଯୋଗରେ ଆଲୋକ ସାହୁକୁ ଗିରଫ କରିଥିଲା ପୋଲିସ । ଜଗତସିଂହପୁର ରଘୁନାଥପୁର ଅଞ୍ଚଳର ଏକ ମଦ ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଗିରଫ କରି ଥାନାରେ ରଖିଥିଲା ପୋଲିସ । ତେବେ ଥାନାର ଫାଇଖାନା ଘରେ ଫିନାଇଲ ପିଇ ଅଭିଯୁକ୍ତ ଗୁରୁତର ହୋଇଥିଲା । ଆଉ ପରେ ଆଲୋକକୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ରାତିରେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ଫେରାର ହୋଇଯାଇଥିଲା ।