କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ହେଭିୱେଟ୍ ନେତା ଓହ୍ଲାଇଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଢେଙ୍କାନାଳରେ ମନ୍ତ୍ରୀ ପ୍ରଫ୍ଲୁଲ ମଲ୍ଲିକ ଓ ନବରଙ୍ଗପୁରରେ ସାଂସଦ ରମେଶ ମାଝୀ ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିବା ବେଳେ ହଟହଟା ହୋଇଛନ୍ତି ।

ପ୍ରଚାର ବେଳେ ହଟହଟା ହେଲେ ମନ୍ତ୍ରୀ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଘେରିଲେ ଲୋକେ । ଏ ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ସାଙ୍କୁଲେଇ ପଞ୍ଚାୟତର । ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସାଙ୍ଗରେ ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥିଙ୍କୁ ମଧ୍ୟ ନେଇଥିଲେ । ତେବେ ସେଠାରେ ପହଞ୍ଚିବା ପରେ ଗାଁ ଲୋକ ବିରୋଧ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଶାନ୍ତି ସୃଷ୍ଟି କରୁଛନ୍ତି । ଏହାସହ ମନ୍ତ୍ରୀଙ୍କୁ ଘେରିଯାଇ ଲୋକ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ ।

ପ୍ରଚାର ପାଇଁ ଯାଇ ଅଧାବାଟରୁ ଫେରିିଲେ ସାଂସଦ । ଗାଁରେ ପଶିବାକୁ ଦେଲେନି କଂଗ୍ରେସ ସମର୍ଥକ । ଗୀତ ବାଜୁଛି, ନାଚ ବି ଚାଲିଛି । କୌଣସି ବରଯାତ୍ରୀ ଶୋଭାଯାତ୍ରା ବେଳର ଭ୍ରମ ସୃଷ୍ଟି କରୁଥିବା ଏହି ଦୃଶ୍ୟ ଅସଲରେ ଥିଲା ନିର୍ବାଚନୀ ପ୍ରଚାର ସମୟର । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ପ୍ରଚାର କରିବାକୁ ଯାଇ ହଟହଟା ହୋଇଛନ୍ତି ସାଂସଦ ରମେଶ ମାଝୀ । ଅନାକାବେଡା ପଂଚାୟତର ଚକମାଲ୍ ଗାଁରେ ବିଳମ୍ବିତ ରାତିରେ ସାଂସଦ ଶତାଧିକ ବିଜେଡି କର୍ମୀଙ୍କୁ ନେଇ ପ୍ରଚାର କରିବାକୁ ବାହାରିଥିଲେ । ହେଲେ ତାଙ୍କ ଗାଡ଼ିକୁ କଂଗ୍ରେସ ଜୋନ୍ ୧ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଘେରିଯାଇଥିଲେ । ରାତି ୮ଟା ପରେ ପ୍ରଚାର କାର୍ଯ୍ୟ ବନ୍ଦର ନିୟମ ଥିବା ବେଳେ କାହିଁକି ଏହାପରେ ସାଂସଦ ପ୍ରଚାର ପାଇଁ ଆସିଛନ୍ତି ବୋଲି ସେମାନେ ପଚାରିଥିଲେ ।

ଚିଲିକା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି । ବାଣପୁର ବ୍ଲକ କୁମାରାଙ୍ଗ ପଂଚାୟତ ଗୋବିନ୍ଦପୁରକୁ ପ୍ରଚାର ପାଇଁ ଯାଇଥିବା ବେଳେ ପୂର୍ବତନ ବିଧାୟକଙ୍କୁ ୧୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୋପୀନାଥ ମହାରଣା ଓ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ । ରଘୁନାଥଙ୍କ ଡ୍ରାଇଭରକୁ ମଧ୍ୟ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଛି ।