ବିଶ୍ୱ ପାଇଁ ବଡ ବିପଦ ଆଣିପାରେ ସୁଦାନ: ଗୃହଯୁଦ୍ଧ ପାଇଁ ବ୍ୟାପିପାରେ ମହାମାରୀ, ସର୍ତକ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

204

କନକ ବ୍ୟୁରୋ: ଅସ୍ତ୍ରବିରତି ପରେ ପୁଣି ଥରେ ଆରମ୍ଭ ହୋଇଯାଇଛି ସୁଦାନରେ ଗୃହଯୁଦ୍ଧ । ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରୟୋଗ ଓ ଗୁଳିମାଡ ଜାରି ରହିଛି । ଏଥିରେ ୫୦୦ରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହେଲେଣି । ସେପଟେ ଏହାରି ଭିତରେ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ସୁଦାନ ସଙ୍କଟ ସାରା ବିଶ୍ୱ ପାଇଁ ମହାମାରୀ ଆଣିପାରେ ବୋଲି ଆକଳନ କରି ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ସୁଦାନ ଗୃହଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଛି । ଅସ୍ତ୍ରବିରତି ଭିତରେ ସେନା ଓ ଅର୍ଦ୍ଧସାମରିକ ମଧ୍ୟରେ ପୁଣିଥରେ ଜୋରାଦାର ଚାଲିଛି ଯୁଦ୍ଧ । ଶହ ଶହ ଲୋକଙ୍କ ମୁଣ୍ଡରେ ଝୁଲୁଛି ମୃତ୍ୟୁର ଫାଶ । ମୁଣ୍ଡ ଉପରେ ଘୂରିବୁଲିଛି ଫାଇଟର୍ ଜେଟ୍, ଲୋକଙ୍କ ଘର ଉପରକୁ ଗୁଳିମାଡ କରୁଛନ୍ତି ଦୁଇ ସେନା । ଏହାରି ଭିତରେ ଏବେ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସ, ସୁଦାନ ରାଜଧାନୀ ଖାରତୋମରେ ଥିବା ଏକ ନ୍ୟାସନାଲ ପ୍ଲବିକ୍ ହେଲଥ୍ ବାୟୋଲ୍ୟାବକୁ ନିଜ ଦଖଲକୁ ନେଇଛି । ଫଳରେ ସୁଦାନରେ ଜୈବିକ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅର୍ଥାତ୍ ଏହି ଲ୍ୟାବ୍ରେ ଥିବା ଭୟଙ୍କର ଭୂତାଣୁ ଦ୍ୱାରା ମହାମାରୀ ସାରା ବିଶ୍ୱରେ ବ୍ୟାପିବାର ସମ୍ଭାବନା ଦେଖାଦେଇଛି । ଏହାକୁ ନେଇ ସତର୍କସୂଚନା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ସୁଦାନ ସଂକଟ ଭିତରେ ରାପିଡ୍ ସପୋର୍ଟ ଫୋର୍ସ ହେଲଥ୍ ବାୟୋଲ୍ୟାବକୁ ନିଜ ଦଖଲକୁ ନେଇଛି । ବର୍ତମାନ କୌଣସି ପ୍ରକାର ଅଘଟଣ ଘଟିଲେ ସୁଦାନ ହିଂସା ସାରା ବିଶ୍ୱ ପାଇଁ ବିପଦ ବଢାଇବାର ଆଶଙ୍କା ରହିଛି ।

ରାପିଡ୍ ସପୋର୍ଟ ଫୋର୍ସର ଦଖଲରେ ଥିବା ନ୍ୟାସନାଲ ପବ୍ଲିକ ହେଲଥ୍ ବାୟୋଲ୍ୟାବରେ ରହିଛି ବିଭିନ୍ନ ପ୍ରକାର ମାରାତ୍ମକ ଭୂତାଣୁ । ମିଳିମିଳା, ପୋଲିଓ, ହଇଜା ଭଳି ବିଭିନ୍ନ ଜୀବାଣୁକୁ ଲ୍ୟାବରେ ଆଇସୋଲେଟ୍ କରି ରଖାଯାଇଥିବା ସୂଚନା ରହିଛି । ଆଉ ଗୃହଯୁଦ୍ଧ ଭିତରେ ଏବେ ଲ୍ୟାବ୍ଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ରହିଛି । ଲ୍ୟାବ୍ର କର୍ମଚାରୀମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ଲ୍ୟାବ୍ ଟେକନିସିଆନ୍ ମାନେ ଜାତୀୟ ଜନ ସ୍ୱାସ୍ଥ୍ୟ ଲାବ୍ରୋଟୋରି ସହ କୌଣସି ପ୍ରକାର ଯୋଗଯୋଗ କରିପାରୁନାହାନ୍ତି ।

ସୁଦାନ ଲଢେଇ ଆଗାମୀ ଦିନରେ ଜୈବିକ ଯୁଦ୍ଧରେ ପରିଣତ ହୋଇପାରେ । ସାଧାରଣ ଯୁଦ୍ଧରେ ଶତ୍ରୁକୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରାଯାଏ । ହେଲେ ଜୈବିକ ଯୁଦ୍ଧରେ ବିଭିନ୍ନ ଜୀବାଣୁ, ଭୂତାଣୁ, ଫଙ୍ଗସ୍ ଏବଂ ବିଷାକ୍ତ ପଦାର୍ଥ ଦ୍ୱାରା ଆକ୍ରମଣ କରାଯାଇଥାଏ । ଯାହାଦ୍ୱାରା ଲୋକେ ବିଭିନ୍ନ ରୋଗରେ ପଡି ମୃତ୍ୟୁବରଣ କରିବେ ।

ପୂର୍ବରୁ ଚୀନ ଉହାନ ଲ୍ୟାବରୁ କୋଭିଡ ଭୂତାଣୁ ସାରା ବିଶ୍ୱ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି । ଏବେ ସୁଦାନ ପ୍ଲବିକ ହେଲଥ୍ ଲ୍ୟାବ ରାପିଡ୍ ସପୋର୍ଟ ଫୋର୍ସ ଦଖଲକୁ ଆସିବା ପରେ ଜୈବିକ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।