ରିଷଭ ପନ୍ତଙ୍କୁ କରୋନା, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢିଲା ଟିମ୍ ଇଣ୍ଡିଆର ଚିନ୍ତା !

169

କନକ ବ୍ୟୁରୋ :ଇଂଲଣ୍ଡ  ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା । ଭାରତୀୟ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରିଷଭଙ୍କ ବ୍ୟତୀତ ଅନ୍ୟ ଜଣେ ଖେଳାଳୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଏବେ ସୁସ୍ଥ ଅଛନ୍ତି । ତେବେ ରିଷଭ ଏବେ ସଙ୍ଗରୋଧରେ ଥିବା ସୂଚନା ମିଳିଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପରେ ଟିମ୍ ଇଣ୍ଡିଆର ଖେଳାଳି କିଛି ଦିନ ପାଇଁ ବ୍ରେକ ନେଇଥିଲେ । ତେବେ ଏହି ସମୟ ମଧ୍ୟରେ ଦୁଇଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ଦୁଇ ଖେଳାଳୀଙ୍କୁ ଥଣ୍ଡା ହେବା ସହ କାଶ ଭଳି ସାମାନ୍ୟତମ ଲକ୍ଷଣ ଦେଖାଯାଇଥିଲା । ତୁରନ୍ତ ଉଭୟ ଖେଳାଳୀଙ୍କର ଟେଷ୍ଟ କରାଯାଇଥିଲା ଏବଂ ଉଭୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ଏପରିକି ଜଣେ ଖେଳାଳୀ ସୁସ୍ଥ ହୋଇଛନ୍ତି ।

ବ୍ରେକରୁ ଫେରିବା ପରେ ସମସ୍ତ ଭାରତୀୟ ଖେଳାଳୀ ଏକାଠି ହୋଇଛନ୍ତି । ଏବେ ପୂରା ଟିମ୍ ଡରହମ ଯିବ । ତେବେ ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଥିବା ରିଷଭଙ୍କୁ ଏବେ ଟିମ ଠାରୁ ଅଲଗା ରଖାଯିବ । ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଦଳରେ ସାମିଲ କରାଯିବ ।ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ସମସ୍ତ ଖେଳାଳୀଙ୍କର ପୁଣିଥରେ କରୋନା ଟେଷ୍ଟ କରାଯିବ । ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ଭାରତୀୟ ଖେଳାଳୀଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ଖେଳାଳୀଙ୍କୁ ବାରଣ କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ୨୦ ଜୁଲାଇରେ କାଉଣ୍ଟିଂ ମ୍ୟାଚ୍ ଖେଳିବ ।