ଭାରତରେ କରୋନା ମୃତ୍ୟୁ ନେଇ ଆମେରିକୀୟ ସଂସ୍ଥାର ଦାବି। ସରକାରୀ ହିସାବଠାରୁ ୧୦ ଗୁଣା ଲୋକଙ୍କ ହୋଇଛି ମୃତ୍ୟୁ 

237

କନକ ବ୍ୟୁରୋ: ଭାରତରେ କରୋନା ଜନିତ ମୃତ୍ୟୁକୁ ନେଇ ଆମେରିକାର ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ ଯେଉଁ ତଥ୍ୟ ରଖିଛି, ତାହା ଚକିତ କରିଦେଲା ଭଳି । ସରକାର ଦେଉଥିବା କରୋନା ମୃତ୍ୟୁ ସଂଖ୍ୟାର ୧୦ ଗୁଣା ଲୋକଙ୍କ ଜୀବନ ମହାମାରୀ ଭୂତାଣୁ ନେଇଛି ବୋଲି ଏହି ସଂସ୍ଥା କହିଛି । ଭାରତରେ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ୩୦ ଲକ୍ଷରୁ ୪୭ ଲକ୍ଷ କିମ୍ବା ତାଠୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିବା ଆକଳନ କରିଛି ସିଜିଡି ।

ଆମେରିକାର ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ ରିପୋର୍ଟ କହିଛି, ଭାରତ ସରକାର କରୋନାରେ ଜୁନ ୨୦୨୧ ସୁଦ୍ଧା ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଦେଇଛନ୍ତି । କିନ୍ତୁ ପ୍ରକୃତରେ ସେହି ସଂଖ୍ୟାରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଦାବି କରିଛି ସିଜିଡି ବା ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ । ଆଉ ଏହା ପଛର ଯୁକ୍ତି ଦର୍ଶାଇ ସଂସ୍ଥା କହିଛନ୍ତି ଗତ ମାର୍ଚ୍ଚରେ ଭାରତରେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିଲା ।

ସେହି ସମୟରେ ଅଧିକ ଲୋକ ସଂକ୍ରମିତ ହେବା ଫଳରେ ହସ୍ପିଟାଲ ଉପରେ ଚାପ ବଢିଥିଲା, ଲୋକଙ୍କୁ ଶଯ୍ୟା ମିଳିନଥିଲା, ଅକ୍ସିଜେନ ଅଭାବ, ଆଇସିୟୁ, ଭେଂଟିଲେଟର ଅଭାବ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଫଳରେ ହସ୍ପିଟାଲ ଗେଟରେ, ରାସ୍ତାରେ ଲୋକଙ୍କ ମୃତ୍ୟୁ ହୋଇଥିଲା । ସିଜିଡିର ଗବେଷକ କହିଛନ୍ତି କରୋନାର ପ୍ରଥମ ଲହରରେ ୨୦ ଲକ୍ଷ ଲୋକଙ୍କ ପ୍ରାଣ ହରାଇଥିବା ଦାବି କରାଯାଉଛି । ଆମେରିକାରେ ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ ରିପୋର୍ଟକୁ ଆମେ ଗୁରୁତ୍ୱ ଏଇଥି ପାଇଁ ଦେଉଛୁ ।

କାରଣ ସିଜିଡି ୱାଶିଂଟନ ଓ ଇଂଲଣ୍ଡର ଏକ ନନପ୍ରଫିଟେବୁଲ ଥିଙ୍କ ଟ୍ୟାଙ୍କ, ଯାହା ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ନଜର ରଖିଥାଏ । ୟୁନିର୍ଭସିଟି ଅଫ ପେନସଲଭନିଆ ପକ୍ଷରୁ ଜାରି ହୋଇଥିବା ୨୦୧୫ ଗ୍ଲୋବାଲ ଗୋ ଟୁ ଥିଙ୍କ ଇଣ୍ଡେକ୍ସ ରିପୋର୍ଟରେ ସିଜିଡିକୁ ୧୩ ତମ ସ୍ଥାନ ମିଳିଥିଲା । ଅନ୍ତର୍ଜାତୀୟ ବ୍ୟାପାର ଉପରେ ନଜର ନେଇ ଏକ ପ୍ରମୁଖ ଥିଙ୍କ ଟ୍ୟାଙ୍କ ଭାବେ ସିଜିଡର ନାଁ ରହିଛି ।