ମେଣ୍ଟ ଚର୍ଚ୍ଚା ଭିତରେ ଏ କେଉଁ ଇସାରା ଦେଲେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନଙ୍କ ପ୍ରଶ୍ନରେ ନବୀନ ଦେଲେ ଏମିତି ଉତ୍ତର…

263

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଚରମ ସୀମାରେ ପହଁଚି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆତ୍ନଙ୍କ ଏକ ଭିଡିଓ, ଆହୁରି ରୋଚକ ସ୍ଥିତି ସୃଷ୍ଟି କରିଛି । ସୋସିଆଲ୍ ମିଡିଆ ଇନଷ୍ଟ୍ରାଗ୍ରାମ ପେଜରେ ଏହି ଭିଡିଓକୁ ପାଣ୍ଡିଆନ୍ ନିଜ ଷ୍ଟାଟସରେ ପୋଷ୍ଟ କରିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଭିଡିଓରେ ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ଏହାର ଉତ୍ତରରେ ନବୀନ କହୁଛନ୍ତି, ରାଜନୀତିରେ ସବୁଠୁ ଖରାପ ହେଉଛି ଗୁଜବ ଓ ମିଛକଥା ।

ନବୀନ-ପାଣ୍ଡିଆନଙ୍କ ମଧ୍ୟରେ ହୋଇଥିବା କଥାବାର୍ତାର ୧୩ ସେକେଣ୍ଡର ଏହି ଭିଡିଓ ଅନେକ କଥାକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି । ଗତ ୫ ଦିନ ଧରି ସାରା ରାଜ୍ୟରେ ବିଜେପି-ବିଜେଡି ମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଂଟ ସମ୍ଭାବନାକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ମେଂଟ ନେଇ ଚର୍ଚ୍ଚା ହୋଇଛି ବୋଲି ମଧ୍ୟ ମାନିବାକୁ ରାଜି ନାହାନ୍ତି ମନମୋହନ । ସବୁ ବିଧାନସଭା ଓ ଲୋକସଭା ଆସନରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ସରକାର ଗଢ଼ିବ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହାକୁ ସମର୍ଥନ ଜଣାଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ।

ତେବେ ଅଚାନକ ବିଜେପିର ଏପରି ଆଭିମୁଖ୍ୟ, ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଆହୁରି ଅନେକ ପ୍ରଶ୍ନ ଛିଡ଼ା କରିଛି । ରାଜନୀତିରେ ଗୁଜବ ଓ ମିଛକଥାକୁ ସବୁଠୁ ଖରାପ ଜିନିଷ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଏହାକୁ ମେଂଟ ସହ ଯୋଡି ଦେଖାଯାଉଛି । ଯଦିଓ କିଛି ସ୍ପଷ୍ଟ ହେଉନାହିଁ । କାହିଁକି ମୁଖ୍ୟମନ୍ତ୍ରୀ ଗୁଜବ ଓ ମିଛକଥା ସଂପର୍କରେ କହିଲେ, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ଏପରି କହି ନବୀନ କାହାକୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି, ସେ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଓଡ଼ିଶାର ରାଜନୀତି ଏବେ ଏପରି ଏକ ରୋଚକ ମୋଡ଼ରେ ପହଁଚିଛି, ଯାହା ବିଗତ ବର୍ଷଗୁଡିକରେ କେବେ ବି ଦେଖିବାକୁ ମିଳି ନଥିଲା ।