ଖୋର୍ଦ୍ଧା ଜିଲ୍ଲାରେ ବ୍ଲାକସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ । ୨୦୧୯-୨୦ରେ କେବଳ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି ୭୮୦ ଦୁର୍ଘଟଣା ।

108

କନକ ବ୍ୟୁରୋ: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ କିଛି ବ୍ଲାକ ସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ ବୋଲି ଜଣାପଡିଛି । ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହିଛି । ଭୁବନେଶ୍ୱରର ପିତାପଲି, ପାହାଳ, ଆଚାର୍ଯ୍ୟ ବିହାର ଛକ, ଏଜି ଛକରୁ ରାଜଭବନ ଛକ, ରାମମନ୍ଦିର ଛକରୁ ମାଷ୍ଟର କ୍ୟାଂଟିନ, କଳିଙ୍ଗ ବିହାର ଓ ତମାଣ୍ଡୋ ଛକ, ଆଇଗଣିଆ, ଗଙ୍ଗପଡା ଛକ, ଲିଙ୍ଗିପୁର କଟ୍, ରାମେଶ୍ୱର, ନାଚୁଣୀ, ହଂସପାଳ ଓ ବୋମିଖାଲରେ ଅଧିକ ଦୁର୍ଘଟଣା ପ୍ରବଣ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଲକଡାଉନ ସମୟରେ ୬୪ ପ୍ରତିଶତ ଦୁର୍ଘଟଣା କମିଥିଲା । ହେଲେ ଗତବର୍ଷ ସେପ୍ଟେମ୍ବର, ଅକ୍ଟୋବରରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ ବଢିଛି । ତେବେ ଦୁର୍ଘଟଣାରୁ ସବୁଠୁ ବଡ଼ କାରଣ ହେଉଛି, ଅବହେଳା ଓ ବେପରୁଆ ଗାଡ଼ିଚାଳନା । ଦୁର୍ଘଟଣା ରୋକିବାକୁ ମୋଟର ଭେହିକିଲ୍ ଆକ୍ଟକୁ କଡ଼ାକଡ଼ି କରିଛି ପ୍ରଶାସନ । ଏହାସତ୍ୱେ ଦୁର୍ଘଟଣା ବଢ଼ିବା ଚିନ୍ତାର କାରଣ ହୋଇଛି ।

କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦୧୯-୨୦ରେ ୭୮୦ ଦୁର୍ଘଟଣା ହୋଇଛି ଏବଂ ୫୦୪ ଜଣଙ୍କ ଜୀବନ ଯାଇଛି । ଏଥିରେ ଗୁରୁତର ହୋଇଛନ୍ତି ୮୫୫ ଓ ଆହତ ହୋଇଛନ୍ତି ୬୬୮ । ସେହିପରି ୨୦୨୧ ପ୍ରଥମ ଦୁଇ ମାସରେ ୧୯୧ ଜଣ ବିନା ହେଲମେଟରେ ଧରାପଡିଛନ୍ତି । ୧୭୦୩ ଜଣ ଦ୍ରୁତଗତିରେ ଗାଡିଚାଳନା, ଗାଡି ଚଳାଇବା ବେଳେ ସିଟବେଲଟ ନବାନ୍ଧି ୨୮୫ ଜଣ ଧରାପଡିଛନ୍ତି । ମଦ ପିଇ ଗାଡି ଚଳାଉଥିବା ୧୯ ଜଣଙ୍କୁ ଧରିଛି ପୁଲିସ । ନିୟମ ଉଲଂଘନ ଅଭିଯୋଗରେ ୩ ହଜାର ଜଣଙ୍କ ଡିଏଲ୍ ବାତିଲ କରାଯାଇଛି ।

ସଡ଼କ ସୁରକ୍ଷା ନେଇ ଖୋର୍ଦ୍ଧା ଜିଲ୍ଲା ସଂସଦୀୟ କମିଟିର ବୈଠକ ହୋଇଥିଲା । ଏଥିରେ ସାଂସଦ, ବିଧାୟକ, ପରିବହନ ଅଧିôକାରୀ, ଡାକ୍ତର, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । କିପରି ଦୁର୍ଘଟଣା ହ୍ରାସ ପାଇବ, ସେ ନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । ତେବେ ଏହି ବୈଠକରେ କିଛି ରୋଚକ ଦୃଶ୍ୟ ସାମନାକୁ ଆସିଥିଲା । ଜିଲ୍ଲା ପ୍ରଶାସନ, ଏନଏଚଆଇ କଥା କଟାକଟି ହୋଇଥିଲା, ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।