ପୁଅ ପାଇଁ ସ୍କୁଲରୁ ବହି ନେଇ ଫେରିବା ସମୟରେ ଦୁର୍ଘଟଣା : ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା ଘଟିବାରୁ ଆଖିବୁଜିଲେ ବାପ-ପୁଅ

374

କନକ ବ୍ୟୁରୋ : ପୁଅ ପାଇଁ ବିଦ୍ୟାଳୟରୁ ବହି ନେଇ ଫେରିବା ବେଳେ ରାସ୍ତାରେ ଘଟିଲା ଅଘଟଣ । ସଡକ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏହି ଦୁଃଖଦ ଘଟଣାଟି ଘଟିଛି ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଂଚଳର ଦ୍ୱାରଶୁଣୀ ଘାଟିରେ । ତିରିଂଗ ଥାନା ଇନ୍ଦଖୋଳି ଗାଁର ଦୁଃଖିଶ୍ୟାମ ହାଁସଦା ପୁଅ ଭରତ ଓ ପତ୍ନୀ ରୁକମଣୀ ସୋରେନ ଏକ ବାଇକରେ ରାଇରଙ୍ଗପୁର ଫେରୁଥିଲେ । ନବୋଦୟ ବିଦ୍ୟାଳୟରୁ ପୁଅ ଭରତ ପାଇଁ ବହି ଧରି ପୁରା ପରିବାର ଘରକୁ ଫେରିବା ବେଳେ ଦ୍ୱାରଶୁଣି ଘାଟିରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଦୁଃଖିଶ୍ୟାମ ହାଁସଦାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଭରତ ଓ ମାଆ ରୁକ୍ମଣୀଙ୍କୁ ପ୍ରଥମେ ବାଙ୍ଗିରପୋଷୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଭରତ ହାଁସଦାଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅନ୍ୟପଟେ ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଓଲଟି ପଡିଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।