ମମତାକୁ ଖୋଜୁଛି କୋମଳ ଶୈଶବ । କଇଁକଇଁ ହୋଇ କାନ୍ଦୁଛି ୭ ମାସର ଶିଶୁ, ମା ମା’ ଡାକୁଛନ୍ତି ୩ ନାବାଳକ । ଦୁର୍ଘଟଣାରେ ପଣତକାନି ପରପାରିକୁ ଚାଲିଯିବା ପରେ ମା’ ଛେଉଣ୍ଡ ହୋଇଗଲେ ପିଲା ।

886

କନକ ବ୍ୟୁରୋ: ମା’ର ମମତାକୁ ଖୋଜୁଛି କୋମଳ ଶୈଶବ । କାନ୍ଦି କାନ୍ଦି ଛାଟିପିଟି ହେଉଛି ୭ ମାସର ଶିଶୁ । ଅନ୍ୟ ୩ ଭାଇ-ଭଉଣୀ ମା- ମା’ ଡାକୁଛନ୍ତି । ହେଲେ ମା’ ଆଉ ଫେରିବେନି । କାରଣ ଦୁର୍ଘଟଣା, ୪ଜଣ ଶିଶୁଙ୍କୁ ମା’ ଛେଉଣ୍ଡ କରିଦେଇଛି । ଦୁର୍ଘଟଣାରେ ମା’ ଚାଲିଯିବା ପରେ, ଯାଜପୁର ଜରି ଗାଁରୁ ଆସିଛି ମା’ ଛେଉଣ୍ଡ ଶିଶୁଙ୍କ କରୁଣ କାହାଣୀ ।

କୁନି ପିଲାର କାନ୍ଦ କାନରେ ପଡ଼ିଲେ, କାହାରବିି ହୃଦୟ ତରଳି ଯିବ । ହୁଏତ, ଛାଟିପିଟି ହୋଇ ୭ ମାସର ଶିଶୁଟି ମା’କୁ ଖୋଜୁଛି । ପାଟି ଖୋଲି କହିବାର ତ’ ବୟସ ହୋଇନି, ଗୋଡ଼ ହାତ ଛାଟିପିଟି ହୋଇ କୁନି ପିଲାଟି ଇସାରା କରୁଛି । ମା’ କ୍ଷୀର ଛଡ଼ା କିଛି ଖାଇବି ଜାଣିନି । ହେଲେ ଯେଉଁ ମା’କୁ ଖୋଜୁଛି ଏହି କୋମଳମତି ଶିଶୁ, ସେଇ ମା’ ଏଇ ଦୁନିଆ ଛାଡ଼ି ବହୁ ଦୂରକୁ ଚାଲି ଯାଇଛି । ଯେଉଁଠୁ ଆଉ କେବେ କେହି ଫେରି ନାହାଁନ୍ତି । ଦୁଘଟଣାରେ ମା’ ଚାଲିଯିବା ପରେ ଦୁନିଆ କ’ଣ ଜାଣିନଥିବା ପିଲାଟି ମା’ ଛେଉଁଣ୍ଡ ହୋଇଯାଇଛି । ବାପା ଓ ବୁଢ଼ି ମା’ ଯେତେ ଚାହିଁଲେ ବି ଏହି ୭ ମାସର ଶିଶୁକୁ ବୁଝେଇବେ ବା’ କେମିତି?

୭ମାସର କୁନି ଶିଶୁ ସହ ୪ଜଣ ଭାଇ ଭଉଣୀ । ଜଣକୁ ୩ବର୍ଷ, ଜଣକୁ ୫ବର୍ଷ ଏବଂ ଆଉ ଜଣକୁ ୬ବର୍ଷ । ସମସ୍ତେ ଯାକ ଏବେ ମା’ ଛେଉଁଣ୍ଡ । ଭୋକ ଲାଗିଲେ, କୁନି କୁନି ପିଲାଙ୍କ ମୁହଁକୁ ଚାଲିଆସୁଛି ଗୋଟିଏ ଶବ୍ଦ ମା’ । ଦିନ ମଜୁରିଆ ଭାବେ ଅତି କଷ୍ଟରେ ଚଳୁଥିବା ବାପା ପ୍ରମୋଦ ମଲ୍ଲିକ, ପିଲାଙ୍କୁ କ’ଣ କହି ବୁଝାଇବେ ଭାଷା ପାଉ ନାହାଁନ୍ତି । ଆଖିରୁ କେବଳ ଝରି ଆସୁଛି ଲୁହ । ବାପଘରୁ ଅଟୋରେ ପରିବାର ସହ ଫେରୁଥିବା ବେଳେ ବାଇକ୍ ସହ ଧକ୍କା ହୋଇଥିଲା ଅଟୋ । ଆଉ ଏଥିରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଘଟଣା ସ୍ଥଳରେ ହିଁ ସ୍ୱାମୀ ଓ ୪ ଛୁଆକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ଯାଜପୁର ଜରି ଗାଁର ମିନତି ମଲ୍ଲିକ ।