କନକ ବ୍ୟୁରୋ : ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର- ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଡ୍ରାଇଭର ଜଣକ ଗୁୁରୁତର ଆହତ ହୋଇଥିଲେ । ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ।

Advertisment

ବୁର୍ଲା ଥାନା କଟାପାଲି ଛକରେ ଏକ ଗୋରୁ ବୋଝେଇ ଗାଡ଼ି ଡବ୍ଲ୍ୟୁବି-୧୧-୮୮୫୮ ଅଟକି ରହିଥିଲା । ଏହି କଣ୍ଟେନର ଗାଡ଼ି ସମ୍ମୁଖରେ ୫ ଜଣ ବ୍ୟକ୍ତି ରାତ୍ରି ଭୋଜନ ନିମନ୍ତେ ରୋଷେଇ କରୁଥିଲେ। ଏହି ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଓଡି-୧୫ସି-୨୦୬୩କୁ ଅନ୍ୟ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇ ‌ତୀବ୍ର ଗତିରେ ଚାଲି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରକ୍‌ଚାଳକ ଓଡି-୧୫ସି-୨୦୬୩ ଗୋରୁ ବୋଝେଇ ଗାଡ଼ିକୁ ଧକ୍କା ଦେଇଥିଲେ ।

ଗୋରୁ ବୋଝେଇ ଗାଡ଼ି ଓଲଟି ଯିବାରୁ ରୋଷେଇ କରୁଥିବା ବ୍ୟକ୍ତିମାନେ ଚାପି ହୋଇଯାଇଥିଲେ । ସେମାନେ ରୋଷେଇ କରିଥିବା ଖାଦ୍ୟକୁ ଆଉ ଖାଇ ପାରିନଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଜଣକକୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଆହତ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡ଼ିଛି ।