ହୋଲିରେ ଅଘଟଣ । ଯୁବକଙ୍କୁ ଷଣ୍ଢ କଚାଡି ଫିଙ୍ଗିବା ପରେ ଚାପିଦେଲା ଟ୍ରକ୍, କାଠଯୋଡିରେ ଗାଧୋଇବା ବେଳେ ଭାସିଯାଇ ଦୁଇ ମୃତ ।

296

କନକ ବ୍ୟୁରୋ : ହୋଲିରେ ଅଘଟଣ । ରଂଗ କିଣିବାକୁ ଯାଇଥିବା ଯୁବକଙ୍କୁ ଷଣ୍ଢ କଚାଡି ଫିଙ୍ଗିବା ପରେ ଟ୍ରକ ଚାପିଦେବାରୁ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାଲେଶ୍ୱର ସୋର ଥାନା ଅଂଚଳ ମହୁମୁହାଣ ଗାଁର ନରେନ୍ଦ୍ର ଜେନା । ନରେନ୍ଦ୍ର ଜେନା ନିଜ ବାଇକରେ ରଂଗ କିଣିବାକୁ ଯାଇଥିବା ବେଳେ ୩ଟି ଷଣ୍ଢ ଲଢେଇ କରୁଥିଲେ । ଏହି ସମୟରେ ସେ ସେହି ବାଟ ଦେଇ ଯାଉଥିବା ବେଳେ ଷଣ୍ଢ ବାଇକ ସହ ନରେନ୍ଦ୍ରଙ୍କୁ କଚାଡି ଦେଇଥିଲା । ଫଳରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ସଂଗେ ସଂଗେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ।

ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ । ରାୟଗଡା ଜିଲ୍ଲା ପଦ୍ମପୁର ନିକଟ ବଡନାଳ ଡ୍ୟାମରେ ଗାଧୋଉଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏବେବି ୨ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

କଟକରେ ମଧ୍ୟ ହୋଲି ବେଳେ ଘଟିଛି ଅଘଟଣ । କଟକ କାଠଯୋଡି ନଦୀରେ ବୁଡି ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକ କଟକ ନେତାଜୀ ନଗରର ବୋଲି ଜଣାପଡିଛି । ମୃତ ଦୁଇ ଛାତ୍ର ହେଲେ ନିଶାଙ୍କ କୁମାର ପାଢୀ ଓ ଶୁଭମ କୁମାର । ହୋଲି ସାରି ଗାଧୋଇବାବେଳେ ଏମାନେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।