ତାଲାବନ୍ଦ ଯୋଗୁଁ ରାଜ୍ୟରେ କମିଛି ଦୁର୍ଘଟଣା ହାର : ମାର୍ଚ୍ଚରୁ ମେ ମାସ ଭିତରେ ଦୁର୍ଘଟଣାରେ ମରିଛନ୍ତି ୩୪୪ ଜଣ । ୬୪.୪ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁହାର କମିଥିବା ନେଇ ସୁପ୍ରିମକୋର୍ଟରେ ତଥ୍ୟ ରଖିଲେ ରାଜ୍ୟ ସରକାର

162

କନକ ବ୍ୟୁରୋ : ତାଲାବନ୍ଦ ଯୋଗୁଁ ରାଜ୍ୟରେ କମିଛି ଦୁର୍ଘଟଣା । ସଡକ ନିରାପତା ସମ୍ପର୍କିତ ସୁପ୍ରିମକୋର୍ଟ କମିଟି ନିକଟରେ ଏଭଳି କିଛି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରଖାଯାଇଥିବା ତଥ୍ୟରେ ଏହା ଦର୍ଶାଯାଇଛି ମାର୍ଚ ପ୍ରଥମ ସପ୍ତାହରୁ ମେ’ ମାସ ମଧ୍ୟରେ ଦୁର୍ଘଟଣାରେ ୩୮୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଏହି ସମୟ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୬୪.୪ ପ୍ରତିଶତ ହ୍ରାସ ପାଇଛି । ସୁପ୍ରିମକୋର୍ଟଙ୍କ ସଡକ ନିରାପତ୍ତା କମିଟି ମାର୍ଚ ୨୪ରୁ ମେ ୩୧ ମଧ୍ୟରେ ଦୁର୍ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରେ କୁହାଯାଇଛି, ୨୦୧୯ ମସିହା ଏହି ସମୟ ମଧ୍ୟରେ ମୋଟ ଦୁର୍ଘଟଣା ୨ହଜାର ୧୦୭ ଥିବାବେଳେ ଚଳିତବର୍ଷ ଏହି ଅବଧି ମଧ୍ୟରେ ୮୩୬ଟି ଦୁର୍ଘଟଣା ହୋଇଛି ।

ସେହିଭଳି ଚଳିତବର୍ଷ ଏହି ସମୟ ମଧ୍ୟରେ ଆହତଙ୍କ ସଂଖ୍ୟା ୭୨୨ ରହିଛି । ୨୦୧୯ରେ ଏହା ୨ହଜାର ୧୭୫ ରହିଥିଲା । ପୁଲିସର କହିବା ଅନୁସାରେ, ତାଲାବନ୍ଦ ଅବଧି ମଧ୍ୟରେ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ହୋଇଛି । ରାସ୍ତା ଖାଲିଥିବାରୁ ଗାଡିଗୁଡିକ ଦ୍ରୁତଗତିରେ ଯିବାରୁ ଏଭଳି ସଡକ ଦୁର୍ଘଟଣା ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଗାଡି ଡ୍ରାଇଭର କିମ୍ବା ସଂପୃକ୍ତ ଗାଡିର କର୍ମଚାରୀ ।