ମୃତ୍ୟୁର ପଥ ପାଲଟିଛି ଝାରସୁଗୁଡ଼ା ୪୯ ଜାତୀୟ ରାଜପଥ: ୨ ବର୍ଷରେ ଦୁର୍ଘଟଣାରେ ଗଲାଣି ୭୨ ଜଣଙ୍କ ଜୀବନ

90

କନକ ବୁରୋ: ମୃତ୍ୟୁର ଦ୍ୱାର ପାଲଟିଛି ଝାରସୁଗୁଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ । ଦିନକୁ ଦିନ ଏହି ରାଜପଥରେ ଦୁର୍ଘଟଣା ବଢିବାରେ ଲାଗିଛି । ବିଗତ ଦୁଇ ବର୍ଷରେ ଦୁର୍ଘଟଣାର ଶିକାର ହୋଇ ଏଠାରେ ୭୨ ଜଣଙ୍କ ଜୀବନ ଯାଇଛି । ଟ୍ରାଫିକ ବୃଦ୍ଧି ସହ ବେପାରୁଆ ଗାଡ଼ି ଚାଳନା ଏବଂ ତୃଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଦୁର୍ଘଟଣା ବଢୁଥିବା ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଝାରସୁଗୁଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଦେଇ ଶହ ଶହ ଗାଡ଼ି ଯାତାୟତ କରୁଛି । ଜିଲ୍ଲା ପୋଲିସର ତଥ୍ୟ ଅନୁସାରେ, ୨୦୨୦ରେ ରାଜପଥରେ ୬୨ଟି ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟ ହୋଇଛି । ସେହିପରି ୨୦୨୧ ଅକ୍ଟୋବର ୩୧ ସୁଦ୍ଧା ୪୯ ନମ୍ବର ଜାତୀୟ ରାଜପଥରେ ୮୩ଟି ଦୁର୍ଘଟଣା ଘଟିଛି । ୪୨ ଜଣଙ୍କ ମୃତ୍ୟୁର ପଥ ହୋଇଛି ଏହି ରାସ୍ତା । ଶହଶହ ଭାରିଯାନ ଯା’ଆସ କରୁଥିବା ରାସ୍ତାର ପ୍ରଶସ୍ତିକରଣ ହେଲେ ଦୁର୍ଘଟଣା କମି ପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ରାସ୍ତା କଡ଼ରେ ବେଆଈନ ଭାବେ କୋଇଲା ବୋଝେଇ ଟ୍ରକ ଗୁଡ଼ିକୁ ପାର୍କିଂ କରାଯାଉଛି । ସଂକୀର୍ଣ୍ଣ ରାସ୍ତାରେ ଗାଡ଼ି ଗୁଡ଼ିିକ ମାସ ମାସ ଧରି ଠିଆ ହେବାରୁ ଯାତାୟତରେ ସମସ୍ୟା ହେଉଛି । ଏହାସହ ମାଲ ପରିବହନ ବେଳେ ଟ୍ରକ ଗୁଡିକ କୋଇଲା ବୋଝେଇ ଡାଲାକୁ ଢାଙ୍କୁ ନଥିବାରୁ ଧୁଳି ଉଡି ଅଧିକ ଦୁର୍ଘଟଣା ଘଟୁଛି । ଦୁର୍ଘଟଣା ରୋକିବା ପାଇଁ ପୋଲିସ ପ୍ରଶାସନ, ପରିବହନ ବିଭାଗ ଓ ଏନ୍ଏଚ୍ଆଇ କର୍ତୃପକ୍ଷଙ୍କ ସହ ଏକ ଟିମ ଗଠନ କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ପରିବହନ ଅଧିକାରୀ ।

୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ପାଇଁ ରାସ୍ତା ପ୍ରଶସ୍ତିକରଣ ନିହାତି ଆବଶ୍ୟକ । ତେଣୁ ଦୁଇ ଥାକିଆ ରାସ୍ତାକୁ ଚାରି ଥାକିଆରେ ପରିଣତ କରିବାକୁ ଦାବି ହେଉଛି ।