ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ଦୁର୍ଘଟଣାରେ ଗଲା ୬ଜଣଙ୍କ ଜୀବନ । ସମ୍ବଲପୁର ଓ ଢେଙ୍କାନାଳରେ ସଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ।

157

କନକ ବ୍ୟୁରୋ: ହୋଲିରେ ଅଘଟଣ ଯୋଗୁ ବିଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର । ଆଜି ଦିନରେ ଦୁର୍ଘଟଣାରେ ମୋଟ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୁବର୍ଣ୍ଣପୁର ସହରର ମହାନଦୀରେ ହୋଲି ଖେଳ ସାରି ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର ସୁମିତ ମେହେର । ତାଙ୍କ ଘର ସୋନପୁର ବ୍ଲକ ଛକରେ । ଛାତ୍ର ଜଣଙ୍କ ହୋଲି ଖେଳ ସାରି ସମ୍ପର୍କିୟଙ୍କ ସହିତ ସୋନପୁର ମହାନଦୀ ବ୍ରିଜ ତଳ ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ପାଣି ସ୍ରୋତରେ ଭାସି ଯାଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକେ ସୋନପୁର ଡ଼ାକ୍ତରଖାନାକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେହିପରି ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇଟି ବାଇକରେ ୩ଜଣ ଯୁବକ ପରମାଣପୁର ପଟୁ ଆସୁଥିବା ସମୟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ମୃତକ ମାନେ ହେଲେ ପରମାଣପୁରର ପିଂଟୁ ସାହୁ, ଦୁବଳ କୁମାର ମରେଇ । ଘଟଣା ସ୍ଥଳରେ ଶାସନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଢେଙ୍କାନାଳ କାମାକ୍ଷାନଗରରେ ଏକ ବାଇକ ଏବଂ ଟାଟା ଏସି ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହିପରି ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗାଁରେ ବାଇକ ଓ ଟ୍ରକ୍ଟର ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।