କାମାକ୍ଷାନଗରରୁ ଆସିଲା ଅଭାବନୀୟ ଖବର : କୂଅ ଖୋଳୁଥିବା ବେଳେ ଧସିଲା ମାଟି ଅତଡା, କୁଅ ଭିତରେ ଫସି ଜଣେ ଶ୍ରମିକ ମୃତ

୪ ଘଂଟା ପରେ ଭଂଗା କୁଅରୁ ଉଦ୍ଧାର ହେଲା ମୃତଦେହ

102

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ଧସିଲା ମାଟି ଅତଡା । କୂଅ ଭିତରେ ମାଟି ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ ।

ସୂଚନା ଅନୁସାରେ, ମାଟି ତଳେ ଚାପି ହୋଇ ଜୀବନ ହରାଇଥିବା ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନଂବର ୱାର୍ଡର ଶରଧାପୁର ଗାଁରେ । ଆଜି ସକାଳୁ କାମାକ୍ଷାନଗରର ଆଳତୁମା ଅଂଚଳରେ ଏକ କୁଅ ଖୋଳିବାକୁ ୫ ଜଣ ଶ୍ରମିକ ଆସିଥିଲେ । ଦେବରାଜ ମଲିକ, ଅଜୁ ମଲିକ, ରୋହିତ ମଲିକ ଓ ଟୁଲୁ ବାହାରେ ରହି ଥିବା ବେଳେ ଧୁଳିଆ ମଲିକ କୁଅ ଭିତରକୁ ଦଉଡି ଜରିଆରେ ଖସୁଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

ଆଜି ସକାଳ ସମୟରେ ଏହି ଅଘଟଣ ଘଟିଛି । ଖବର ପାଇ ୩ଟି ଜେସିବି ଓ ଦମକଳ ବାହିନୀ ପହଁଚି ଉଦ୍ଧାର କାମ ଜାରି ରଖି , ପ୍ରାୟ ୪ ଘଂଟାର ଉଦ୍ୟମ ପରେ ଭଂଗା କୁଅ ଭିତରୁ ମରଶରୀର ବାହାର କରିଛନ୍ତି । ଉଦ୍ଧାର ପରେ ମୃତ ଶ୍ରମିକଙ୍କ ଶବକୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । କାମାକ୍ଷାନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।